ଭୁବନେଶ୍ୱର: ୟୁନିଟ–୩ ଓଊଉଙ ପ୍ରଦର୍ଶନୀ ପଡିଆ ଠାରେ ଆଜି ଠାରୁ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ଆରମ୍ଭ ହୋଇଯାଇଛି । ଓଡିଶା ପୁଲିସ ପକ୍ଷରୁ ଆୟୋଜିତ ଏହି ୪ ଦିବସୀୟ ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଠାରେ ଭାରତର ନୂତନ ଅପରାଧିକ ଆଇନ ଓ ଆଧୁନିକ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଉଛି ।
ଦେଶର ନୂତନ ଅପରାଧ ଆଇନଗୁଡ଼ିକ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହିତ ଡିଜିଟାଲ ଓ ନ୍ୟାୟକେନ୍ଦ୍ରିକ ଅପରାଧ ନ୍ୟାୟ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ହେଉଛି ଏହି ପ୍ରଦର୍ଶନୀର ପ୍ରମୁଖ ଉଦେ୍ଦଶ୍ୟ । ପ୍ରଦର୍ଶନୀକୁ ଆସୁଥିବା ପରିଦର୍ଶକମାନେ ନୂତନ ଆଇନର ବିଭିନ୍ନ ମୂଳ ବିଶେଷତା ବିଷୟରେ ଜାଣିବା ସହିତ ପୋଲିସର ଆଧୁନିକ ପ୍ରଯୁକ୍ତି ଆଧାରିତ ତଦନ୍ତ ପ୍ରଣାଳୀ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ମଧ୍ୟ ଅବଗତ ହେଉଛନ୍ତି । ଏହି ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଗାମୀ ଦିନଗୁଡ଼ିକରେ ମଧ୍ୟ ଅଧିକ ସଂଖ୍ୟକ ଲୋକ ପ୍ରଦର୍ଶନୀକୁ ଆସି ନୂତନ ଆଇନ ବିଷୟରେ ଜାଣିବା ପାଇଁ ଓଡିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ କରାଯାଉଛି । ନ୍ୟାୟ ସଂହିତା ପ୍ରଦର୍ଶନୀ ଭାରତର ଅପରାଧ ନ୍ୟାୟ ବ୍ୟବସ୍ଥାର ଐତିହାସିକ ପରିବର୍ତନ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସର ପ୍ରତିବଦ୍ଧତାର ଏକ ପ୍ରତିଫଳନ ।
ବୈଜ୍ଞାନିକ ତଦନ୍ତ, ଆଧୁନିକ ପ୍ରଯୁକ୍ତି ଓ ନାଗରିକ ଅଂଶଗ୍ରହଣ ମାଧ୍ୟମରେ ସଠିକ ସମୟ ମଧ୍ୟରେ ପୀଡ଼ିତଙ୍କୁ ନ୍ୟାୟ ସୁନିଶ୍ଚିତ କରିବାକୁ ଓଡିଶା ପୋଲିସ ସଂକଳ୍ପବଦ୍ଧ ।