ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୁଲିସ ଦାଖଲ କରିଥିବା ଚାର୍ଜସିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ। ସେ କହିଚନ୍ତି, ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଚରିତ୍ର ସଂହାର କରିବା ପାଇଁ ପୁଲିସ ଅପଚେଷ୍ଟା କରୁଛି।
ପୀତବାସ ପଣ୍ଡାଙ୍କ ଘରୁ ଏକ ପେନ୍ଡ୍ରାଇଭ୍ ଜବତ କରାଯାଇଛି, ଯେଉଁଥିରେ କିଛି ସମ୍ବେଦନଶୀଳ ଫଟୋ ରହିଛି। ପୀତବାସ ପଣ୍ଡାଙ୍କ ବ୍ୟବଚ୍ଛେଦ ସମୟରେ ତାଙ୍କ ପଇତାରେ ଏକ ଚାବି ଲାଗିଥିବା ଦେଖାଯାଇଥିଲା। ସେହି ଚାବିରେ ପୀତବାସଙ୍କ ଘରେ ଥିବା ଏକ ଗୁପ୍ତ କୋଠରୀ ଖୋଲାଯାଇଥିଲା। ଗୁପ୍ତ କୋଠରୀ ଖୋଲା ଯାଇଥିବା ସମୟରେ ପୀତବାସଙ୍କ ପତ୍ନୀ ଉପସ୍ଥିତ ଥିଲେ। ପୁଲିସ ସେହି ଗୁପ୍ତ କୋଠରୀରୁ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରିଥିଲା।
ସିଜର ତାଲିକାରେ ପେନ୍ ଡ୍ରାଇଭ ବିଷୟ ଉଲ୍ଲେଖ ରହିଛି। ପୁଲିସ କୋର୍ଟରେ ସିଜର ତାଲିକା ଦାଖଲ କରିଛି। ମାତ୍ର ପେନ୍ ଡ୍ରାଇଭ୍ ଦାଖଲ କରିନି। ତାକୁ କେନ୍ଦ୍ର କରି ଦୀପକ କହିଛନ୍ତି, ଅଭିଯୁକ୍ତ ବିକ୍ରମ ପଣ୍ଡା ଜଣେ ବିଜେଡି ନେତା ହୋଇଥିବାରୁ ତାଙ୍କୁ ବଦନାମ କରିବା ପାଇଁ ଏ ପ୍ରକାର ଅପଚେଷ୍ଟା ଚାଲିଛି। ପୁଲିସ ମନଗଢ଼ା କାହାଣୀ ବଖାଣୁଛି। ପୁଲିସ ପ୍ରଥମେ ମଦ, ବାଲି ଓ ଜମି ଦୁର୍ନୀତି ସମ୍ପର୍କରେ କହୁଥିଲା। ମାତ୍ର ଚାର୍ଜସିଟରେ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଯଦି ସେହି ଦିଗରେ ତଦନ୍ତ ହୋଇଥାନ୍ତା, ତେବେ ଅନେକ ବଡ଼ ବଡ଼ ଲୋକ ଏହି ମାମଲାରେ ଫସିଥାନ୍ତେ ବୋଲି ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ପୁଲିସ କୋର୍ଟରେ ଯେଉଁ ପ୍ରମାଣ ଦାଖଲ କରିଛି, ତାହାର ଏକ କପି ପାଇବା ପାଇଁ ଆବେଦନ କରାଯାଇଛି।
ସେହି କପି ମିଳିବା ପରେ ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।