ଶେଷ ପର୍ଯ୍ୟାୟରେ ଭଞ୍ଜନଗର ଠାକୁରାଣୀ ଯାତ୍ରା

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ……

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ହାତରେ ଆଉ ୪ ଦିନ ଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଥିବା ବିଷୟ ଆୟୋଜକ ମଣ୍ଡଳୀ ସୂତ୍ରରୁ ପ୍ରକାଶ।

ଉକ୍ତ ଯାତ୍ରାରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତିଙ୍କ ସମେତ ଅନେକ ମନ୍ତ୍ରୀ, ବିଧାୟକ, ଏମ୍‌ପିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିସହ ବରିଷ୍ଠ ସର୍ବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଘୁମୁସର ମାଟିର ସୁଯୋଗ୍ୟ ସନ୍ତାନ ଅରିନ୍ଦମ ଡାକୁଆଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ଏସ୍‌ପି ସମେତ ଅନେକ ଅଧିକାରୀଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଯାତ୍ରା କମିଟି କାର୍ଯ୍ୟକାରି ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଅବସରପ୍ରାପ୍ତ ତହସିଲଦାର ପ୍ରମୋଦ ଦଳବେହେରା, ବୁବୁନି ମହାନ୍ତି ଏବଂ ଅନ୍ୟମାନେ ବ୍ୟକ୍ତିଗତ ଭେଟି ନିମନ୍ତ୍ରଣ କରିଛନ୍ତି। ଯାତ୍ରା ଦିବସ ଯେତିକି ନିକଟତର ହେଉଛି ସେହି ଅନୁସାରେ ପ୍ରସ୍ତୁତି ଦ୍ରୁତଗତିରେ ଚାଲିଛି।

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚଳିତ ବର୍ଷ ରାମ ଦୋଳି ପଡୁଛି। ଏଥିସହ ପୁରୁଣା ଜେଲ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାର୍କିଂ ବ୍ୟବସ୍ଥା ହେଉଛି। ଏହାଦ୍ୱାରା ମୁଖ୍ୟ ସଡକରେ ଆଉ ଟ୍ରାଫିକ ସମସ୍ୟା ଦେବୀଙ୍କ ନଗର ଭ୍ରମଣ ସମୟରେ ହେବନାହିଁ ବୋଲି ଆଶା କରାଯାଉଛି। ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ମୁଖ୍ୟ ସଡ଼କରେ ଏକାଧିକ ତୋରଣ ନିର୍ମାଣ ଚାଲିଛି। ଯାତ୍ରାର ୨୦୦ ବର୍ଷର ଇତିହାସରେ ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ସୂଚନା ଯୋଗ୍ୟ ଯେ ଭଞ୍ଜନଗର ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। ଭଞ୍ଜନଗର ଯାତ୍ରାରେ କୁଲାଡ ବ୍ୟାଘ୍ର ଦେବୀ ଏବଂ ଭଞ୍ଜନଗର ଦେବୀ ଠାକୁରାଣୀଙ୍କୁ ପୂଜା କରାଯାଉଛି। ତେଣୁ ୨୬ ତାରିଖରେ ଉକ୍ତ ଦୁଇଦେବୀଙ୍କୁ ସ୍ଥାୟୀ ମଣ୍ଡପରୁ ଏକ ବିରାଟ ଶୋଭାଯାତ୍ରାରେ ଭଞ୍ଜନଗର ଆଣି ଅସ୍ଥାୟୀ ମଣ୍ଡପରେ ରଖାଯିବ।

ଉପଜିଲାପାଳ ଉମାଶଙ୍କର ବେହେରା ଦେବୀଙ୍କୁ ଧରି ଖାଲି ପାଦରେ ଚାଲି ଚାଲି ଅସ୍ଥାୟୀ ମଣ୍ଡପକୁ ଆଣିବେ। ଯାହାକି ଏକ ପରମ୍ପରା ରହିଛି। ୨୫ ଦିନ ଧରି ଯାତ୍ରା ଚାଲିବ। ଆଗାମୀ ମେ’ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ।