ଚିକିଟି ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମୀନି ଷ୍ଟାଡିୟମ ….
ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମୀନି ଷ୍ଟାଡିୟମ ଠାରେ ଗୁରୁବାର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୧ ଗୋଟି ସଂସ୍ଥା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ପାଇଁ ନିଯୁକ୍ତି ମେଳା ସ୍ଥଳରେ ପ୍ରସାଶନ ପକ୍ଷରୁ ୫୬ ଗୋଟି ଷ୍ଟଲ ଖୋଲା ଯାଇଥିଲା ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାର୍ଥୀ ମାନଙ୍କ ପାଇଁ ପଞ୍ଜୀକରଣ ଷ୍ଟଲ୍ ମଧ୍ୟ ଖୋଲା ଯାଇଥିଲା।
ଆଜିର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତିରଞ୍ଜନ ତ୍ରିପାଠୀ, ଗୋପାଳପୁର ଆର୍ମି ରିକ୍ଚିର୍ୟୁଟମେଣ୍ଟ ଅଧିକାରୀ ସନ୍ତୋଷ କୁମାର ସିଂ,ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱରଞ୍ଜନ କହଁର ମଞ୍ଚାସିନ ଥିଲେ। କାର୍ୟ୍ୟକ୍ରମରେ ବିଧାୟକ ନିଜର ବକ୍ତବ୍ୟ ପ୍ରଦାନ ସମୟରେ ଜିଲ୍ଲା ପ୍ରଶାସନ ଓ ଚିକିଟି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଥିବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ସେମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା
ବିଭିନ୍ନ ସଂସ୍ଥା ମାନଙ୍କରେ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା କହିଛନ୍ତି। ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ପ୍ରାୟ ୭୦୦ ଜଣ ଯୁବକ ଯୁବତୀ ନିଯୁକ୍ତି ମେଳାରେ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୫ ଜଣ ଯୁବକ ଯୁବତୀଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସଂସ୍ଥା ମାନଙ୍କରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ବ୍ଲକ ଓ ତହସିଲ କର୍ମଚାରୀ ଶିବିର ପରିଚାଳନା କରିଥିଲେ। ଶେଷରେ ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।