ଭୁବନେଶ୍ୱର: ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ । ୨୦୨୬–୨୭ ଆର୍ଥିକ ବଜେଟ୍ରେ ‘ଗ୍ରାମୀଣ–ସହରୀ ରୂପାନ୍ତରଣ’ କାର୍ଯ୍ୟକ୍ରମ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି ।
ଏହି ପଦକ୍ଷେପ ମାଧ୍ୟମରେ ଦ୍ରୁତ ଅଭିବୃଦ୍ଧିଶୀଳ ଗ୍ରାମ ପଂଚାୟତ ଓ ସହର ଉପକଣ୍ଠ ଅଂଚଳଗୁଡ଼ିକୁ ସୁନିୟନ୍ତ୍ରିତ, ସ୍ଥାୟୀ ଓ ଅନ୍ତର୍ଭୁକ୍ତୀମୂଳକ ସହରୀକରଣ ଦିଗକୁ ନେଇଯିବା ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ଅର୍ଥନୈତିକ ଗତିଶୀଳତା ସହିତ ଅନେକ ସହର ଉପକଣ୍ଠ ଅଂଚଳ ସ୍ୱାଭାବିକ ଭାବରେ ସହରୀ କ୍ଲଷ୍ଟରରେ ପରିଣତ ହେଉଛି ।
ଯଦି ଏହାକୁ ଯୋଜନାବଦ୍ଧ ଭାବେ ପରିଚାଳନା କରାଯାଇ ନଥାଏ, ତେବେ ଅଣପରିକଳ୍ପିତ ବସତି, ଅପର୍ଯ୍ୟାପ୍ତ ଭିତିଭୂମି ଓ ପରିବେଶ ଚାପ ସୃଷ୍ଟି ହେବାର ଆଶଙ୍କା ରହିଥାଏ । ଏହି ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୂର୍ବପ୍ରସ୍ତୁତିମୂଳକ ଓ ବୈଜ୍ଞାନିକ ଢାଞ୍ଚାରେ ଏହି କାର୍ଯ୍ୟକ୍ରମ ରୂପାୟନ ଆରମ୍ଭ ହେବ । ଏହି ପଦକ୍ଷେପ କେବଳ ଏକ ପ୍ରଶାସନିକ ଶ୍ରେଣୀଭୁକ୍ତିରେ ସୀମିତ ନୁହେଁ; ବରଂ ‘ପ୍ରଶାସନିକ ପ୍ରସ୍ତୁତି’ ଓ ‘ଭିତିଭୂମି ସୁଦୃଢୀକରଣ’ ଉପରେ ଏହାର ମୁଖ୍ୟ ଗୁରୁତ୍ୱ । କୌଣସି ଅଂଚଳକୁ ଆନୁଷ୍ଠାନିକ ଭାବେ ସହର ଘୋଷଣା ପୂର୍ବରୁ ସେଠାରେ ଆବଶ୍ୟକ ସହରୀ ସୁବିଧା ଓ ସେବା ଯୋଗାଣ ସୁନିଶ୍ଚିତ କରାଯିବ । ରୂପାନ୍ତରଣ ଢାଂଚାର ମୁଖ୍ୟ ଦିଗଗୁଡ଼ିକ ସହର ଉପକଣ୍ଠ ଅଂଚଳର ସୁନିୟନ୍ତ୍ରିତ ଓ ଶୃଙ୍ଖଳିତ ବିକାଶ, ଯାହା ଅଣପରିକଳ୍ପିତ ସମ୍ପ୍ରସାରଣକୁ ରୋକିବ । ପ୍ରାରମ୍ଭିକ ପର୍ଯ୍ୟାୟରୁ ସହର ଅନୁରୂପ ନାଗରିକ ସୁବିଧା—ଜଳନିଷ୍କାସନ, ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍ ଓ ଆଧାରଭୂତ ଭିତିଭୂମି । ଜଳବାୟୁ ସହନଶୀଳତାକୁ ଗୁରୁତ୍ୱ ଦେଇ ସନ୍ତୁଳିତ ଓ ନିୟନ୍ତ୍ରିତ ଜମି ବ୍ୟବହାର ଓ ଗ୍ରାମୀଣ ପ୍ରଶାସନରୁ ସହରୀ ପ୍ରଶାସନିକ ବ୍ୟବସ୍ଥାକୁ ସୁଚାରୁ ରୂପାନ୍ତରଣ ପାଇଁ ସ୍ଥାନୀୟ କର୍ତୃପକ୍ଷଙ୍କୁ ସକ୍ଷମ କରିବା ।
ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଓଡ଼ିଶା ଆଜି ସହରୀକରଣର ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି । ସହରୀକରଣ ଅନିବାର୍ୟ, କିନ୍ତୁ ଅଣପରିକଳ୍ପିତ ସହରୀକରଣକୁ ନିଶ୍ଚୟ ଏଡ଼ାଯାଇ ପାରିବ । ୨୦୦ କୋଟି ଟଙ୍କାର ଏହି ପାଣ୍ଠି ସହିତ ଆମେ ପୂର୍ବପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରୁଛୁ ।
ଆଜିର ଯୋଜନାବଦ୍ଧ ପଦକ୍ଷେପ ଆଗାମୀ ଦିନର ସୁସଂଗଠିତ ଓ ପ୍ରଗତିଶୀଳ ଓଡ଼ିଶାର ଭିତି ସୃଷ୍ଟି କରିବ ।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି “ଆମ ଲକ୍ଷ୍ୟ ହେଉଛି ସହର ଉପକଣ୍ଠ ଅଂଚଳଗୁଡ଼ିକୁ ବୈଜ୍ଞାନିକ ଓ ଡାଟା-ଭିତିକ ଯୋଜନା ମାଧ୍ୟମରେ ସୁନିୟନ୍ତ୍ରିତ ଭାବେ ବିକଶିତ କରିବା । ଭିତିଭୂମିର ମାନଦଣ୍ଡ ପୂର୍ବରୁ ନିର୍ଦ୍ଧାରଣ କରି ଆମେ ସୁନିଶ୍ଚିତ କରୁଛୁ ଯେ ବିକାଶ ସ୍ଥାୟୀ, ସମନ୍ୱିତ ଓ ନାଗରିକ-କେନ୍ଦ୍ରିତ ହେବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ବୈଷୟିକ ଜ୍ଞାନର ବ୍ୟବହାର ଏବଂ ଯଥାସମୟରେ ନିରୀକ୍ଷଣ ମାଧ୍ୟମରେ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଗତିଶୀଳ କରାଯିବ । ଏହା ଗ୍ରାମୀଣ ଓ ସହରୀ ସୀମାରେ ଥିବା ବ୍ୟବଧାନକୁ କମେଇବା ସହ ବିଦ୍ୟମାନ ସହରଗୁଡ଼ିକ ଉପରେ ଭିତିଭୂମି ଚାପ ହ୍ରାସ କରିବ ଏବଂ ନୂତନ ବିକାଶ କେନ୍ଦ୍ରଗୁଡ଼ିକୁ ଭବିଷ୍ୟତ ପାଇଁ ସୁସଜ୍ଜିତ କରିବ । ଏହି ପଦକ୍ଷେପ ସହ ଓଡ଼ିଶା ନଗର ଯୋଜନା ଓ ପରିଚାଳନାରେ ଏକ ନୂଆ ମାନକ ସ୍ଥାପନ କରିବାକୁ ଅଗ୍ରସର ହୋଇଛି ।