ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ ଆଣିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀର ଉଦ୍ବୋଧନ ଦେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଦର୍ଶାଇଛନ୍ତି ଯେ ଆମ୍ବ ସମ୍ବିଧାନର ସପ୍ତମ ଅନୁସୂଚୀ ଅନୁସାରେ ସ୍ୱାସ୍ଥ୍ୟ ହେଉଛି ରାଜ୍ୟ ତାଲିକାଭୁକ୍ତ ବିଷୟ । ଧାରା ୪୭ କହେଯେ ଜନସ୍ୱାସ୍ଥ୍ୟର ମାନବୃଦ୍ଧି ହେଉଛି ସରକାରଙ୍କ ଦାୟିତ୍ୱ । କିନ୍ତୁ ଦୁର୍ଭାଗ୍ୟ ଯେ ରାଜ୍ୟ ସରକାରଙ୍କ ଏଥିପ୍ରତି ଯଥୋଚିତ ଦୃଷ୍ଟି ନାହିଁ । ରାଜ୍ୟର ବିଜେଡ଼ି ସରାର ନିଜ ଦଳର ସ୍ୱାସ୍ଥ୍ୟ ପ୍ରତି ସଚେତନ କିନ୍ତୁ ଜନ ସ୍ୱାସ୍ଥ୍ୟପ୍ରତି ଉଦାସୀନ । ଫଳତଃ ରାଜ୍ୟବାସୀ ଅବହେଳିତ ହେଉଛନ୍ତି । ଅର୍ଥାଭାବରୁ ଉତମ ଚିକିତ୍ସାରୁ ବଂଚିତ ହୋଇ ବହୁ ଯନ୍ତ୍ରଣା ଭୋଗୁଛନ୍ତି । ଶ୍ରୀ ବେହେରା ଆରୋପ କରି କହିଛନ୍ତି ଯେ ସ୍ୱାସ୍ଥ୍ୟପ୍ରତି ଅବହେଳା ଅପରାଧିକ ଅବହେଳା ।
ବିଭିନ୍ନ ଉଦାହରଣ ଉଲ୍ଲେଖ କରି ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ଖାଲି ପଡ଼ିଥିବା ୨୩୬୬ ଡାକ୍ତର ପଦବୀ, ସରକାରୀ ମେଡିକାଲ କଲେଜ ମାନଙ୍କରେ ୨୦୨ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହାୟକ ପ୍ରଫେସର ପଦବୀ ପୂରଣ କରିପାରି ନାହାନ୍ତି ।
ଏଥି ସହିତ ପାରାମେର୍ଡିକାଲ ଷ୍ଟାଫ ମାନଙ୍କ କ୍ଷେତ୍ରରେ ମଧ୍ୟ ଖାଲିସ୍ଥାନ ପଡ଼ିରହିଛି । ସରକାର ୨୦୨୦-୨୧ ଅର୍ଥନୈତିକ ସର୍ତରେ ଘୋଷଣା କଲେ ଯେ ଆମ୍ଭେ ଅଧିକ ସଂଖ୍ୟକ ମେଡିକାଲ କଲେଜମାନ ଖୋଲବୁ ଓ ଡାକ୍ତର ଅଭାବଜନିତ ସମସ୍ୟାର ଅନ୍ତ ଘଟାଇବୁ । କିନ୍ତୁ ଅପରପକ୍ଷରେ କେନ୍ଦ୍ରାପଡ଼ାରେ ମାଟିପାଇଁ ପାଟି ଖୋଲି ଆନ୍ଦୋଳନ କରି କଂଗ୍ରେସ ମେଡିକାଲ କଲେଜଟିଏ ସ୍ଥାପନ ନିମନ୍ତେ ଦାବି କରିଚାଲିଥିଲେ ମଧ୍ୟ ଶୁଣାଯାଉ ନାହିଁ । ଭଦ୍ରକ ଓ ରାୟଗଡ଼ା ଠାରେ ମଧ୍ୟ ମେଡିକାଲ କଲେଜ ଆନ୍ଦୋଳନ ଜୋରଦାର ହେଉଛି । ସରକାର ମୌନବ୍ରତରେ ଅଛନ୍ତି । ସୁନ୍ଦରଗଡ଼ ଭଳି ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ମେଡିକାଲ ନାହିଁ ନାହିଁରେ ଚାଲିଥିବାରୁ ଜିଲ୍ଲାବାସୀ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ପରସ୍ପର ବିରୋଧୀ ଏପରି ଆଭିମୁଖ୍ୟ କାହିଁକି? ଦ୍ୱିତୀୟତ ସରକାରୀ ଡାକ୍ତରଖାନା ମାନଙ୍କରେ ଭିର୍ତିଭୂମି ଅଭାବ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇ ନାହିଁ । ଆଜି ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଆସିୟୁର ବ୍ୟବସ୍ଥା ନାହିଁ । ସବ୍ଡିଭିଜନ ସ୍ତରୀୟ ଓ ବ୍ଲକ ସ୍ତରୀୟ ସିଏଚସି ଓ ପିଏଚସି ମାନଙ୍କରେ ରୋଗ ନିରୂପଣ ବ୍ୟବସ୍ଥା ନାହିଁ । ଯାହା ଫଳରେ ରୋଗରେ ପଡ଼ି ଲୋକେ ବେସରକାରୀ ମେଡିକାଲ ଯିବାକୁ ବାଧ୍ୟ ହେଉଛନ୍ତି । ବିପୁଳ ଅର୍ଥ ଖର୍ଚ୍ଚକରି ଶୁଝିବା ପାଇଁ ବାହାମୁକୁଟ ବନ୍ଧା ପକାଉଛନ୍ତି । ରାଜ୍ୟ ସରକାର ବେସରକାରୀ ହସ୍ପିଟାଲ ମାନଙ୍କ ପ୍ରତି ଅତିଶୟ ଦରଦୀ ହୋଇ ସରକାରୀ ଡାକ୍ତରଖାନାର ଆବଶ୍ୟକତାକୁ ଉପେକ୍ଷା କରୁଛନ୍ତି । ସେମାନେ ଲୋକମାନଙ୍କୁ ସେକ୍ସପିୟରଙ୍କ ସାଇଲକ ଭଳି ଶୋଷିଚାଲିଛନ୍ତି । ଏପ୍ରିଲ ୨୦୨୧ ରେ ସରକାର ସେମାନଙ୍କ ପ୍ରତି ନିର୍ଦ୍ଦେଶନାମା ଜାରିକରି କହିଲେ ଯେ ସମୁଦାୟ ଶର୍ଯ୍ୟାସଂଖ୍ୟାର ୫୦ ଭାଗ କୋଭିଡ ଶଯ୍ୟାରେ ପରିଣତ କରିବେ ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ କାହିଁକି ସେମାନେ ନିହାତି ୧୦ ଭାଗ ଶର୍ଯ୍ୟାରେ କୋଭିଡ ରୋଗୀଙ୍କୁ ମାଗଣା ଚିକିାତ୍ସା ଦେବେ ନାହିଁ? ଏ ନିଦ୍ଦେର୍ଶ ଦେଇଥିଲେ ଲୋକେ ଉପକୃତ ହୋଇଥାନ୍ତେି ଓ ଏପ୍ରିଲ, ମେ, ଜୁନ ମାସରେ ଶର୍ଯ୍ୟାଭାଗ ସଂକଟ ଭୟାବହ ହୋଇନଥାନ୍ତା ।
କ୍ଲିନିକାଲ ଏଷ୍ଟାବ୍ଲିସ ମେଂଟ ଆଇନ ୨୦୧୦ ଓ ରାଜ୍ୟର ନିଜସ୍ୱ ୧୯୯୦ ଆଇନ ଅନୁସାରେ ସରକାରଙ୍କ ସଂପୂର୍ଣ୍ଣ କ୍ଷମତା ଥାଇ ମଧ୍ୟ ଏହାର ପ୍ରୟୋଗ ହେଉନଥିବା କ୍ଷୋଭର ବିଷୟ । ବିଶ୍ୱସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ୟବସ୍ଥା ମୁତାବକ ପ୍ରତ୍ୟେକ ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ମାଗଣା ଚିକତ୍ସା ବ୍ୟବସ୍ଥା ଲୋକଙ୍କୁ ସହୟାକ ହେଉନାହିଁ । ବେସରକାରୀ ମେଡିକାଲ ମାନେ ଚିକିତ୍ସା ବାବଦ ଖର୍ଚ୍ଚର ସର୍ବାଧିକ ୬୦ ପ୍ରତିଶତ ବିଶ୍ୱକଲ୍ୟାଣ ପାଣ୍ଠିରୁ ଭରଣା କରୁଛନ୍ତି ଓ ଅବଶିଷ୍ଟ ୪୦ ପ୍ରତିଶତ ଲୋକଙ୍କ ଠାରୁ ଜୁଲମକରି ନେଉଛନ୍ତି । ଫଳତଃ ଯୋଜନା ଉପହାସିତ ହେଉଛି ଓ ହିତାଧିକାରୀ ଶୋଷିତ ହେଉଛି । ଏହା ମାରାତ୍ମକ ଅବହେଳା ନୁହେଁ ତ ଆଉ କ’ଣ ? ଶ୍ରୀ ବେହେରା ଉଦ୍ବେଗଜନକ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥାୟୀ ସମାଧାନ କ୍ଷେତ୍ରରେ ୧୫ତମ ଅର୍ଥକମିଶନଙ୍କ ସୁପାରିଶ ମୁତାବକ ସ୍ୱାସ୍ଥ୍ୟ ସେବାକୁ ମୌଳିକ ଅଧିକାର ଯୁକ୍ତ କରିବା ପାଇଁ ମତ ରଖିଥିଲେ ଓ ଏଥିନିମେନ୍ତ ଆଗାମୀ ବିଧାନସଭା ଅଧିବେସନରେ ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଏଥି ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନର ସମ୍ପ୍ରସାରଣ ସହ ବେସକାରୀ ମେଡିକାଲ ସଂସ୍ଥାମାନଙ୍କ ଶୋଷଣ ରାଜ୍ୟବାସୀଙ୍କୁ ମୁକ୍ତି ଦେବାକୁ ସେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
Prev Post