ଏ ଯାଏ ୧୧୫: ସରକାରୀ ଅଧିକାରୀଙ୍କ କେନ୍ଦୁପତ୍ର ବେପାର ନିଶା

୧୧୫ଟି ପ୍ଲଟର ମାଲିକ ନିତ୍ୟାନନ୍ଦ ନାୟକ । କାମ କରୁଛନ୍ତି କେନ୍ଦୁଝର କେନ୍ଦୁପତ୍ର ଡିଭିଜନରେ । କେନ୍ଦୁପତ୍ର ଡିଭିଜନର ବଡ଼ବାବୁ ନିତ୍ୟାନନ୍ଦ ନାୟକଙ୍କୁ ଆୟଠାରୁ ଅଧିକ ଧନସଂପତି ଠୁଳ କରିଥିବା ମାମଲାରେ ଛନ୍ଦି ଦିଆଯାଇଛି । ନିତ୍ୟାନନ୍ଦ ବାବୁଙ୍କ ସବୁ ଘର ଓ ଅଫିସକୁ ଘାଂଟି ପକାଇଛି ରାଜ୍ୟ ଭିଜିଲାନ୍ସ । ନିତ୍ୟାନନ୍ଦ ବାବୁଙ୍କର ଜମି କିଣା ନିଶା ଦେଖି ଭିଜିଲାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବାବୁଙ୍କ ପରିବାର ମାଲିକାନାରେ ପ୍ରାୟ ୧୧୫ଟି ପ୍ଲଟ ରହିଛି, ଏ କଥା ଆମେ ନୁହେଁ ଭିଜିଲାନ୍ସ କହୁଛି । ନିତ୍ୟାନନ୍ଦ ବାବୁଙ୍କ ଉପୁରି ଆୟ ବିଷୟରେ ତାଙ୍କ ଡିପାର୍ଟମେଂଟର ବହୁ ତଳିଆ କର୍ମଚାରୀମାନେ ଭିନ୍ନ ଭିନ୍ନ ସମୟରେ ଆଲୋଚନା କରନ୍ତି । ସେହିସବୁ ଆଲୋଚନା ଭିତରୁ କିଛି କିଛି ଭିଜିଲାନ୍ସ କାନରେ ବାଜୁଥିଲା ।

ଅତଏବ ବେଳକାଳ ଉଣ୍ଡି ଭିଜିଲାନ୍ସ ଅଧିକାରୀମାନେ ବାବୁ ନିତ୍ୟାନନ୍ଦଙ୍କ ଆଡ୍ଡା ଉପରେ ଚଢ଼ଉ କରିଥିଲେ । ନିତ୍ୟାନନ୍ଦ ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ ରହିଛି ଅନୁଗୁଳ ଜିଲ୍ଲାରେ । ବାବୁଙ୍କ ଭିଟାମାଟି ହେଉଛି ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ଅଧିନସ୍ଥ ମଦନମୋହନ ପାଟଣା । ତାଙ୍କ ଶଶୁର ଘର ଅନୁଗୁଳ ଜିଲ୍ଲାର ଜଗନ୍ନାଥପୁର ଅଂଚଳରେ । ନିତ୍ୟାନନ୍ଦ ବାବୁଙ୍କ ପୁଅ ନୟାଗଡ଼ ଜିଲ୍ଲାର କୋମଣ୍ଡରେ ରହୁଛନ୍ତି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପୁଅକୁ ମଧ୍ୟ ଛାଡ଼ିନାହାନ୍ତି । ନିତ୍ୟାନନ୍ଦ ବାବୁଙ୍କ ପୁଅ ମାଲିକାନାରେ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି ।

ଶୁଣିବାକୁ ମିଳୁଛି, ଡିଏଫ୍‌ଓ ନିତ୍ୟାନନ୍ଦଙ୍କ ନାମରେ ପ୍ରାୟ ୫୩ଟି ପ୍ଲଟ ରହିଛି । ନିତ୍ୟାନନ୍ଦଙ୍କ ପତ୍ନୀ ପ୍ରାୟ ୪୨ଟି ପ୍ଲଟର ମାଲିକାଣୀ । ନିତ୍ୟାନନ୍ଦଙ୍କ ଦୁଇପୁଅ ପ୍ରାୟ ୧୬ଟି ପ୍ଲଟର ମାଲିକ । ତାଙ୍କ ଏକମାତ୍ର ଝିଅ ଚାରିଟି ପ୍ଲଟର ମାଲିକାଣୀ । ବାବୁଙ୍କ ପରିବାର ଦୁଇଟି କାର, ଚାରିଟି ବାଇକ ବ୍ୟବହାର କରୁଛନ୍ତି । ବାବୁଙ୍କ ପରିବାର ନିକଟରେ ଥିବା ସୁନାଗହଣାକୁ ବାଦ ଦେଲେ ନଗଦ ଟଙ୍କା ଆକାରରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।