ଭୁବନେଶ୍ୱର: ଓଡ଼ିଶାରୁ ଅଧିକ ମାଇଲେଜ୍ ବିଶିଷ୍ଟ ପେଟ୍ରୋଲ କାର ନିର୍ମାଣ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । କମ୍ପାନୀ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ତିନୋଟି ସ୍ଥାନକୁ ନିରୂପଣ କରାଯାଇଛି । ଆଗାମୀ ଦିନରେ ସରକାରଙ୍କ ସହିତ କଥା ହୋଇ ଜମି ଅଧିଗ୍ରହଣ ବ୍ୟବସ୍ଥା କରାଯିବ । କମ୍ପାନୀର ଭିତିଭୂମି ନିର୍ମାଣ ତାଳରେ ତାଳ ମିଶାଇ କାର ବୁକିଂ ଆରମ୍ଭ କରାଯିବ । ଏକ ଲିଟର ପେଟ୍ରୋଲ ପିଛା ୬୦ କିଲୋମିଟର ଗତି ବିଶିଷ୍ଟ କାର ନିର୍ମାଣ କରିବାକୁ କମ୍ପାନୀ ନିଷ୍ପତି ନେଇଛି । କାର ଡିଜାଇନିଂ ଓ ବଡି ତିଆରି କରିବ ଜର୍ମାନୀ କାର କମ୍ପାନୀ ‘ବର୍ଗାଡ୍’ । ମାତ୍ର ଇଞ୍ଜିନ୍ ତିଆରି କରିବ ଓଡ଼ିଶାର ଧର୍ମରାଜ ଗ୍ରୁପ । ୨୦୧୮ରେ କମ୍ପାନୀ ଅଂଟା ଭିଡ଼ିଥିଲା । ମାତ୍ର ଭାରତ-ଚୀନ ବିବାଦ ଦୃଷ୍ଟିରୁ ମଝିରେ ପ୍ରକଳ୍ପ କାମ ଥଣ୍ଡା ପଡ଼ି ଯାଇଥିଲା । କମ୍ପାନୀର ପରାମର୍ଶଦାତା ମଣ୍ଡଳୀରୁ ଚୀନ୍ ବିଶେଷଜ୍ଞଙ୍କୁ ବାଦ୍ ଦିଆଯିବା ପରେ ନିର୍ମାଣ କାମ ତ୍ୱରାନ୍ୱିତ କରାଯାଇଛି ବୋଲି ଧର୍ମରାଜ ଗ୍ରୁପ କହିଛି ।