ଦଶପଲ୍ଲା: କହିହେଉନି କି ସହିହେଉନି। ଏମିତି ଅବସ୍ଥା ଆଶାକର୍ମୀଙ୍କର। ମିଳୁନି ପ୍ରୋତ୍ସାହନ ରାଶି କି ପାରିତୋଷିକ। ମାସ ମାସ ଧରି ଗାଁ ଗାଁ ବୁଲି କାମ କରୁଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଦାଉ ଅସହ୍ୟ ହୋଇପଡୁଛି। ପେଟକୁ ଖାଇବାକୁ ନଦେଇ କାମ ଉପରେ କାମର ବୋଝ ଲଦାଯାଉଛି। ସରକାରଙ୍କ ସ୍ୱାସ୍ଥ୍ୟ ସେବାର ପ୍ରତିଟି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଂଚାଉଥିବା ଆଶାକର୍ମୀ ଏବେ ଉପେକ୍ଷିତ ହୋଇଛନ୍ତି। ସ୍ୱଳ୍ପ ପ୍ରୋତ୍ସାହନ ଉପରେ ନିର୍ଭରଶୀଳ ଆଶାକର୍ମୀ ବର୍ଷବର୍ଷ ଧରି ପାରିତୋଷିକ ନପାଇବାରୁ ଶେଷରେ ପ୍ରତିବାଦକୁ ଓହ୍ଲାଇଛନ୍ତି। ୮ ଜଣ କର୍ମଚାରୀଙ୍କୁ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ବାହାରେ ପ୍ରତିବାଦ କରିଛନ୍ତି। ରବିବାର ମଧ୍ୟଖଣ୍ଡତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆଶାକର୍ମୀଙ୍କ କବଳରେ କର୍ମଚାରୀମାନେ ଘଂଟା ଘଂଟା ଧରି ଫସି ରହିଥିଲେ; କୌଣସି ଉପରିସ୍ଥ ଅଧିକାରୀଙ୍କ ଦେଖାଦର୍ଶନ ମିଳି ନଥିଲା।
ଆଶାକର୍ମୀଙ୍କ ଅଭିଯୋଗ ଅନୁଯାୟୀ ସରକାରଙ୍କ ସ୍ୱାସ୍ଥ୍ୟସେବା ସମ୍ପର୍କିତ ପ୍ରତିଟି କାର୍ଯ୍ୟରେ ଆଶାକର୍ମୀଙ୍କୁ ନିୟୋଜିତ କରାଯାଉଛି। ଗାଁରେ ଡେଙ୍ଗୁ ସର୍ବେକ୍ଷଣ, ବିସିଜି ଟିକା, ଆୟୁଷ୍ମାନ ସର୍ଭେ, କୁଷ୍ଠ ସର୍ଭେ, ଓଆରଏସ୍ ବିତରଣ, ଟିବି ସର୍ଭେ ଭଳି ପ୍ରତିଟି କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟ ପାଇଁ ମିଳିବାକୁ ଥିବା ପ୍ରୋତ୍ସାହନ ରାଶିକୁ ମାସ ମାସ ଧରି ଅଟକାଇ ଦିଆଯାଉଛି।
ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ମାତ୍ର କୌଣସି ସୁଫଳ ମିଳୁ ନଥିବା ଆଶାକର୍ମୀମାନେ ଅଭିଯୋଗ ଆଣିଛନ୍ତି। ଏସବୁ ମଧ୍ୟରେ ବଡକଥା ହେଉଛି ୮ ମାସ ହେଲା କୌଣସି ସେକ୍ଟର ମିଟିଂ କରାଯାଉନାହିଁ।
ଏକାଧିକବାର ଅଭିଯୋଗ ପରେ ନିକଟ ଅତୀତରୁ ବୈଠକ ଆରମ୍ଭ ହୋଇଛି। ମାତ୍ର ବୈଠକରେ କୌଣସି ଉପରିସ୍ଥ ଅଧିକାରୀ ଉପସ୍ଥିତ ରହୁନାହାନ୍ତି। ରବିବାର ଦିନ ସେକ୍ଟର ମିଟିଂ ଡକା ଯାଇଥିବା ବେଳେ ଦୀର୍ଘ ସମୟ ଧରି ଅପେକ୍ଷା ପରେ କୌଣସି ଅଧିକାରୀ ଆସି ନଥିଲେ। ପଚାରିବାରୁ ଛୁଟିଥିବା କହିଥିଲେ। ଆଶାକର୍ମୀଙ୍କୁ ପ୍ରୋତ୍ସାହନ ରାଶି ନଦେଇ ଶୋଷଣ କରାଯାଉଛି। ଅଧିକାରୀଙ୍କୁ ଅଭିଯୋଗ କଲେ ପରସ୍ପର ଉପରେ ଦୋଷ ଲଦି ଖସି ଚାଲିଛନ୍ତି।
ଦଶପଲ୍ଲା ବ୍ଲକରେ ମୋଟ ୧୧୩ ଜଣ ଆଶାକର୍ମୀ କାର୍ଯ୍ୟରତ ଥିବାବେଳେ ଏଏନ୍ଏମ୍ ଦିଦିଙ୍କ ଠାରୁ ଆରମ୍ଭ କରି ବାଡା, ବିପିଏମ୍ ସମସ୍ତେ ଆମ ଉପରେ ଜୁଲୁମ୍ କରୁଥିବା ନେଇ ଆଶାକର୍ମୀ ଅଭିଯୋଗ ଆଣିଛନ୍ତି। ତିନିତିନି ଥର ଅଭିଯୋଗ ପରେ ଅଧିକାରୀ ମାନେ ଗୁରତ୍ୱ ଦେଉନଥିବା ହେତୁ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି। ଆଶାକର୍ମୀଙ୍କ ଏଭଳି ପ୍ରତିବାଦ ଫଳରେ କାର୍ଯ୍ୟାଳୟ ମଧ୍ୟରେ ଆୟୁଷ ଡାକ୍ତର ଶୁଭଲକ୍ଷ୍ମୀ ସେଠୀଙ୍କ ସମେତ ଏମ୍ପିଏଏସ୍ ପ୍ରଫଲ୍ଲ କୁମାର ପଣ୍ଡା, ସ୍ୱାସ୍ଥ୍ୟକର୍ମୀ ବିଭୂତି ଭୂଷଣ ସାହୁ, ଜିତେନ୍ଦ୍ର କୁମାର ଦଳେଇ, ବିଷ୍ଣୁପ୍ରିୟା ସାହୁ, ମାଳିନୀ ପ୍ରଧାନ, ମୀନତି କହଁର ଓ କନକଲତା ମହାରଣା ପ୍ରମୁଖ ଫସି ରହିଥିଲେ। ଶେଷରେ ଆସନ୍ତା ଶୁକ୍ରବାର ସୁଦ୍ଧା ବକେୟା ପାଉଣା ମିଳିବାର ପ୍ରତିଶୃତି ମିଳିବା ପରେ ଆଶାକର୍ମୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।