ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଦକ୍ଷ ଶାସନ ଅମଳରେ କାମ ଅପେକ୍ଷା ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଅଭିଯୋଗ କରିଛି ବିଜୁ ଜଳକା ଦଳ । ରାଜ୍ୟ ରାଜଧାନୀଠାରୁ ମାତ୍ର ୮୦ କିଲୋମିଟର ଦୂରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭ ପାଇଥିବା ବିଜୁ ସେତୁ ପ୍ରକଳ୍ପଟି ଆଜି ମଧ୍ୟ ତିନୋଟି ପିଲାର ଭିତରେ ସୀମିତ ରହିଛି । ପୁରୀ ସାଂସଦ ପିନାକୀ ମିଶ୍ର ଓ ବ୍ରହ୍ମଗିରି ପୂର୍ବତନ ସଂଜୟ କୁମାର ଦାସବର୍ମା କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବ୍ରହ୍ମଗିରି ବ୍ଲକ କଡ଼ାଜିତ ପଂଚାୟତର ତିନିକୁଦି ଗ୍ରାମର ଜନତା । ଭାର୍ଗବୀ ନଦୀ ଉପରେ ସେତୁ ନିର୍ମାଣ କରିବା ପାଇଁ ସଂପୃକ୍ତ ଅଂଚଳର ୧୫ଟି ପଂଚାୟତର ଜନତା ବାରମ୍ବାର ଦାବି କରୁଥିଲେ ।
ତଦନୁସାରେ ୨୦୧୩ରେ ତିନିକୁଦିଠାରେ ତିନିକୁଦି-ବାଲିକେରା ସେତୁର ମୂଳଦୁଆ ପଡ଼ିଥିଲା । ଯୁଦ୍ଧକାଳୀନ ନୀତିରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ । କାମ ଆରମ୍ଭ ହେଲା, ଲୋକମାନେ ଭାରି ଖୁସି ହେଲେ । ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ପୁରୀ ସାଂସଦ ପିନାକୀ ମିଶ୍ର ଆପଣା ମହଲରେ ଓଜନିଆ କାମଟେ କରି ପକାଇଛନ୍ତି ବୋଲି ଗାଇବୁଲିଲେ । ମାତ୍ର କ’ଣ ହେଲା କେଜାଣି; ୧୦ ବର୍ଷ ହେଲାଣି ସେତୁ କାମ ସରିଲାନି । ଲୋକଙ୍କ ଆଖିରେ ଦିଶୁଛି ତିନୋଟି ପିଲାର । ସେତୁର ଆଉ କୌଣସି ଅଂଶ ଲୋକଙ୍କ ଦୃଷ୍ଟିରେ ପଡୁନି ।
ବିଜେଡିର କିଛି ତଳିଆ ନେତା କହୁଛନ୍ତି, ବିଜେପିକୁ ଭୋଟ ଦେବାରୁ ସେତୁ କାମ ଅଟକି ଯାଇଛି । ଆରେ ବାବୁ, ୨୦୧୩ରୁ ୨୦୧୯ ଭିତରେ ସେତୁ କାମ ସରି ଯାଇଥିଲେ, ବିଜେପି ଆଡ଼କୁ କ’ଣ ଭୋଟ ଯାଇଥାନ୍ତା? ଏ ଅଂଚଳରୁ ବିଜେପିକୁ ଜିତିବା ପାଇଁ ବାଟ ଛାଡ଼ିଲା କିଏ? ଜବାବ ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୁଲୁ ମହାପାତ୍ର ମରିଗଲା ପରେ ତାଙ୍କ ଭାଇ ଏବେ ବ୍ରହ୍ମଗିରିର ବିଧାୟକ ଅଛନ୍ତି । ମାତ୍ର ତାଙ୍କ ପୂର୍ବରୁ ବିଜେଡିର ଓଜନିଆ ନେତା ସଂଜୟ ଥିଲେ, ସେ କ’ଣ ଶୁଖିଲାଟାରେ ମାଛି ମାରୁଥିଲେ? ଚିଲିକା ଚିଙ୍ଗୁଡ଼ି ପାଟିରେ ପକାଇ ବାବୁ ସଂଜୟ ସକାଳୁ ସିଂହଠାଣିରେ ବୁଲି ବାହାରୁଥିଲେ । ଏବେ ବିଲୁଆ ଭଳି ଏ ଗାତରୁ ସେଗାତ ବୁଲୁଛନ୍ତି ।
କର୍ମୀଙ୍କୁ କହୁଛନ୍ତି କ’ଣ ନା ଏତେବର୍ଷ ଧରି ତୁମମାନଙ୍କର ସେବା କଲି । ଆଉ ସେବା କରିବା ପାଇଁ ମନ ଅଛି, ମାତ୍ର ଶରୀର ସାଥ ଦେଉନାହିଁ । ବର୍ଷାଋତୁ ଆସିବାରୁ ତିନିକୁଦି ଅଂଚଳର ଲୋକମାନେ ଆତଙ୍କିତ ହେଲେଣି । ସେତୁ ନିର୍ମାଣ ପାଇଁ ନଦୀବନ୍ଧକୁ କାଟି ଦିଆଯାଇଛି । ଫଳରେ ବନ୍ୟାପାଣି ଆସିଲେ ୫୬ ମୌଜା ପାଇଁ ବିପଦର ଆଶଙ୍କା ରହୁଛି । ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସେତୁର ନିର୍ମାଣ ଅଟକଳ ବଢ଼ିଗଲାଣି । ସ୍ଥାନୀୟ ବାସିନ୍ଦା ଆପଣା ଉଦ୍ୟମରେ ତିଆରି କରିଥିଲେ ଅସ୍ଥାୟୀ ପୋଲ; ତାକୁ ମଧ୍ୟ ଦଇବ ସହିଲାନି । ଏବେ ତାହା ଭାଙ୍ଗିଯିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ବିଧାୟକ, ସାଂସଦଙ୍କ ସମେତ ବଡ଼ବଡ଼ ଅଧିକାରୀମାନେ ସେତୁ ଦର୍ଶନ କରି ଆଶୀର୍ବାଦ ନେଇ ଚାଲି ଯାଉଛନ୍ତି । ୧୦ ବର୍ଷ ତଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଆଉ ଏବେ ମଧ୍ୟ ଅଛନ୍ତି । ତେବେ ସେତୁ କାମ ଅଟକିିଗଲା କାହିଁକି? ୟା’ର ଜବାବ କାହା ପାଖରେ ନାହିଁ ।
୨୩ ବର୍ଷ ହୋଇଗଲା ନବୀନ ପଟ୍ଟନାୟକଙ୍କୁ ମୁଣ୍ଡରେ ବସାଇଛୁ । ମାତ୍ର ତା’ ବଦଳରେ ପାଇଲୁ କ’ଣ? ତିନିକୁଦି ଅଂଚଳର ସେତୁ କାମ ସରିଲାନି । ଯୋଉ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ସେତୁଟିର ନିର୍ମାଣ କାମ ଅଧା ରହିଛି? ସେ ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ କହୁଥିବା ଲୋକମାନେ ହୁଏତ ଧୂର୍ତ ନଚେତ ବୋକା ବୋଲି କହିଛି ବିଜୁୁ ଜଳକା ଦଳ ।