ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?

୧୦ ବର୍ଷ ଭିତରେ ସରିଲାନି ବିଜୁ ସେତୁ

ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଦକ୍ଷ ଶାସନ ଅମଳରେ କାମ ଅପେକ୍ଷା ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଅଭିଯୋଗ କରିଛି ବିଜୁ ଜଳକା ଦଳ । ରାଜ୍ୟ ରାଜଧାନୀଠାରୁ ମାତ୍ର ୮୦ କିଲୋମିଟର ଦୂରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭ ପାଇଥିବା ବିଜୁ ସେତୁ ପ୍ରକଳ୍ପଟି ଆଜି ମଧ୍ୟ ତିନୋଟି ପିଲାର ଭିତରେ ସୀମିତ ରହିଛି । ପୁରୀ ସାଂସଦ ପିନାକୀ ମିଶ୍ର ଓ ବ୍ରହ୍ମଗିରି ପୂର୍ବତନ ସଂଜୟ କୁମାର ଦାସବର୍ମା କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବ୍ରହ୍ମଗିରି ବ୍ଲକ କଡ଼ାଜିତ ପଂଚାୟତର ତିନିକୁଦି ଗ୍ରାମର ଜନତା । ଭାର୍ଗବୀ ନଦୀ ଉପରେ ସେତୁ ନିର୍ମାଣ କରିବା ପାଇଁ ସଂପୃକ୍ତ ଅଂଚଳର ୧୫ଟି ପଂଚାୟତର ଜନତା ବାରମ୍ବାର ଦାବି କରୁଥିଲେ ।

ତଦନୁସାରେ ୨୦୧୩ରେ ତିନିକୁଦିଠାରେ ତିନିକୁଦି-ବାଲିକେରା ସେତୁର ମୂଳଦୁଆ ପଡ଼ିଥିଲା । ଯୁଦ୍ଧକାଳୀନ ନୀତିରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ । କାମ ଆରମ୍ଭ ହେଲା, ଲୋକମାନେ ଭାରି ଖୁସି ହେଲେ । ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ପୁରୀ ସାଂସଦ ପିନାକୀ ମିଶ୍ର ଆପଣା ମହଲରେ ଓଜନିଆ କାମଟେ କରି ପକାଇଛନ୍ତି ବୋଲି ଗାଇବୁଲିଲେ । ମାତ୍ର କ’ଣ ହେଲା କେଜାଣି; ୧୦ ବର୍ଷ ହେଲାଣି ସେତୁ କାମ ସରିଲାନି । ଲୋକଙ୍କ ଆଖିରେ ଦିଶୁଛି ତିନୋଟି ପିଲାର । ସେତୁର ଆଉ କୌଣସି ଅଂଶ ଲୋକଙ୍କ ଦୃଷ୍ଟିରେ ପଡୁନି ।

ବିଜେଡିର କିଛି ତଳିଆ ନେତା କହୁଛନ୍ତି, ବିଜେପିକୁ ଭୋଟ ଦେବାରୁ ସେତୁ କାମ ଅଟକି ଯାଇଛି । ଆରେ ବାବୁ, ୨୦୧୩ରୁ ୨୦୧୯ ଭିତରେ ସେତୁ କାମ ସରି ଯାଇଥିଲେ, ବିଜେପି ଆଡ଼କୁ କ’ଣ ଭୋଟ ଯାଇଥାନ୍ତା? ଏ ଅଂଚଳରୁ ବିଜେପିକୁ ଜିତିବା ପାଇଁ ବାଟ ଛାଡ଼ିଲା କିଏ? ଜବାବ ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୁଲୁ ମହାପାତ୍ର ମରିଗଲା ପରେ ତାଙ୍କ ଭାଇ ଏବେ ବ୍ରହ୍ମଗିରିର ବିଧାୟକ ଅଛନ୍ତି । ମାତ୍ର ତାଙ୍କ ପୂର୍ବରୁ ବିଜେଡିର ଓଜନିଆ ନେତା ସଂଜୟ ଥିଲେ, ସେ କ’ଣ ଶୁଖିଲାଟାରେ ମାଛି ମାରୁଥିଲେ? ଚିଲିକା ଚିଙ୍ଗୁଡ଼ି ପାଟିରେ ପକାଇ ବାବୁ ସଂଜୟ ସକାଳୁ ସିଂହଠାଣିରେ ବୁଲି ବାହାରୁଥିଲେ । ଏବେ ବିଲୁଆ ଭଳି ଏ ଗାତରୁ ସେଗାତ ବୁଲୁଛନ୍ତି ।

କର୍ମୀଙ୍କୁ କହୁଛନ୍ତି କ’ଣ ନା ଏତେବର୍ଷ ଧରି ତୁମମାନଙ୍କର ସେବା କଲି । ଆଉ ସେବା କରିବା ପାଇଁ ମନ ଅଛି, ମାତ୍ର ଶରୀର ସାଥ ଦେଉନାହିଁ । ବର୍ଷାଋତୁ ଆସିବାରୁ ତିନିକୁଦି ଅଂଚଳର ଲୋକମାନେ ଆତଙ୍କିତ ହେଲେଣି । ସେତୁ ନିର୍ମାଣ ପାଇଁ ନଦୀବନ୍ଧକୁ କାଟି ଦିଆଯାଇଛି । ଫଳରେ ବନ୍ୟାପାଣି ଆସିଲେ ୫୬ ମୌଜା ପାଇଁ ବିପଦର ଆଶଙ୍କା ରହୁଛି । ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସେତୁର ନିର୍ମାଣ ଅଟକଳ ବଢ଼ିଗଲାଣି । ସ୍ଥାନୀୟ ବାସିନ୍ଦା ଆପଣା ଉଦ୍ୟମରେ ତିଆରି କରିଥିଲେ ଅସ୍ଥାୟୀ ପୋଲ; ତାକୁ ମଧ୍ୟ ଦଇବ ସହିଲାନି । ଏବେ ତାହା ଭାଙ୍ଗିଯିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ବିଧାୟକ, ସାଂସଦଙ୍କ ସମେତ ବଡ଼ବଡ଼ ଅଧିକାରୀମାନେ ସେତୁ ଦର୍ଶନ କରି ଆଶୀର୍ବାଦ ନେଇ ଚାଲି ଯାଉଛନ୍ତି । ୧୦ ବର୍ଷ ତଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଆଉ ଏବେ ମଧ୍ୟ ଅଛନ୍ତି । ତେବେ ସେତୁ କାମ ଅଟକିିଗଲା କାହିଁକି? ୟା’ର ଜବାବ କାହା ପାଖରେ ନାହିଁ ।

୨୩ ବର୍ଷ ହୋଇଗଲା ନବୀନ ପଟ୍ଟନାୟକଙ୍କୁ ମୁଣ୍ଡରେ ବସାଇଛୁ । ମାତ୍ର ତା’ ବଦଳରେ ପାଇଲୁ କ’ଣ? ତିନିକୁଦି ଅଂଚଳର ସେତୁ କାମ ସରିଲାନି । ଯୋଉ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ସେତୁଟିର ନିର୍ମାଣ କାମ ଅଧା ରହିଛି? ସେ ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ କହୁଥିବା ଲୋକମାନେ ହୁଏତ ଧୂର୍ତ ନଚେତ ବୋକା ବୋଲି କହିଛି ବିଜୁୁ ଜଳକା ଦଳ ।