ଆଇଆଇଏମଟି ପକ୍ଷରୁ ଦୁଇଦିନିଆ ଯୋଗ ଶିବିର ଆୟୋଜିତ

ଇଣ୍ଟରସାଇନ୍ସ ଇନଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) ପକ୍ଷରୁ ….

ଭୁବନେଶ୍ୱର :  ଇଣ୍ଟରସାଇନ୍ସ ଇନଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) ପକ୍ଷରୁ  ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ଦୁଇଦିନିଆ ଯୋଗ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧକ୍ଷ ଡ଼. ଶ୍ରୀକାନ୍ତ ପଟ୍ଟନାୟକଙ୍କ ଗରିମାମୟ ଅଧ୍ୟକ୍ଷତା ଏବଂ ନିର୍ଦ୍ଦେଶକ ଡ଼. ଜୟଦେବ କରଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମଟି “ୟୁନିଭର୍ସାଲ ହ୍ୟୁମାନ୍ ଭ୍ୟାଲୁସ୍–୧ ” ବିଷୟକୁ ନେଇ ଚାଲୁଥିବା ୩-ଦିନିଆ ଅଫ୍‌ଲାଇନ୍ ଫେସ୍-ଟୁ-ଫେସ୍ ଫ୍ୟାକଲ୍ଟି ଡିଭେଲପମେଣ୍ଟ ପ୍ରୋଗ୍ରାମ୍  ଅନ୍ତର୍ଗତ ଅଂଶ ଥିଲା।
ଉକ୍ତ ଯୋଗ ଶିବିରକୁ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟର ଡ଼. ଜ୍ଞାନେନ୍ଦ୍ର କୁମାର ମିଶ୍ର ପରିଚାଳନା କରିଥିଲେ। ସେ ତାଙ୍କର ପାରମ୍ପରିକ ଭାରତୀୟ ଅଭ୍ୟାସ ଉପରେ ଗଭୀର ଜ୍ଞାନ ଏବଂ ପାରଦର୍ଶିତାକୁ ଶିକ୍ଷା ପରିବେଶରେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ବିଭିନ୍ନ ନିର୍ଦ୍ଦେଶିତ ଅଭ୍ୟାସ, ପ୍ରଦର୍ଶନ ଓ ଆନ୍ତର୍କ୍ରିୟାତ୍ମକ ଆଲୋଚନା ମାଧ୍ୟମରେ ଡ଼ଃ ମିଶ୍ର ଦୈନନ୍ଦିନ ଜୀବନରେ ଯୋଗକୁ ସମାବେଶ କରି ମାନସିକ ସ୍ପଷ୍ଟତା, ଶାରୀରିକ ସୁସ୍ଥତା ଓ ଭାବନାତ୍ମକ ସନ୍ତୁଳନ ହାସଲ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଆଇ ଆଇ ଏମ୍ ଟିର ଅଧ୍ୟାପିକା ମିସ୍ ଅଙ୍କିତା ମହାପାତ୍ର ଏବଂ ଅଧ୍ୟାପକ ମିଷ୍ଟର୍ ଦିବ୍ୟଦର୍ଶନ ବେହେରା ଓ ମିଷ୍ଟର୍ ଦୀପକ ମିଶ୍ର ଏହି ଯୋଗାଭ୍ୟାସ ସମୟରେ ପ୍ରମୁଖ ପ୍ରଶିକ୍ଷକ ଭାବେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରର ଏକ ପ୍ରମୁଖ ଆକର୍ଷଣ ଥିଲା ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ବୈଦିକ ଜୀବନଶୈଳୀର ସଂସ୍କୃତିକୁ ପ୍ରୋତ୍ସାହନ ଦେବା। ପ୍ରାଚୀନ ଯୋଗ ପ୍ରଣାଳୀଗୁଡ଼ିକ ଆଧୁନିକ ଶିକ୍ଷା ବ୍ୟବସ୍ଥାକୁ କିପରି ସହଯୋଗ କରିପାରେ, ଯାହା ମାଧ୍ୟମରେ ବ୍ୟକ୍ତିମାନେ ଆନ୍ତରିକ ସମନ୍ୱୟ ଓ ଶୃଙ୍ଖଳା ବଜାୟ ରଖି ସର୍ବୋକୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରାଯାଇପାରେ ସେ ନେଇ ଡ଼ଃ ମିଶ୍ର ବ୍ୟାଖ୍ୟା କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ମାନସିକ ଚାପ ପରିଚାଳନା, ଏକାଗ୍ରତା ବୃଦ୍ଧି ଏବଂ ଆତ୍ମସଚେତନତା ସମ୍ବନ୍ଧୀୟ ବ୍ୟବହାରିକ ପଦ୍ଧତି ସମ୍ପର୍କରେ ଅବଗତ କରାଯାଇଥିଲା, ଯାହା ଶିକ୍ଷାଗତ ଓ ପେଶାଗତ ଉତ୍କର୍ଷତା ପାଇଁ ଅତ୍ୟନ୍ତ ଆବଶ୍ୟକ।