ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଓ.ଇ.ଆର.ସି. କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର,ତା ୬.୪ (ଏସ୍ ନ୍ୟୁଜ): ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ମିଳିତ ଆନୁକୂଲ୍ୟରେ ବାରମ୍ବାର ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓ.ଇ.ଆର.ସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଓ.ଇ.ଆର.ସି. ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହି ବିକ୍ଷୋଭରେ ଯୋଗଦେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ୨୦୧୬ ମସିହାର ବିମୁଦ୍ରୀକରଣ ଓ ବର୍ତମାନର କରୋନା ମହାମାରୀର ସମ୍ମୁଖିନ ହୋଇ ରାଜ୍ୟବାସୀ ହନ୍ତସନ୍ତ ହୋଇପଡିଥିବା ବେଳେ କ୍ରମାଗତ ଭାବେ ୬ ମାସ ତଳେ ୟୁନିଟ୍‌ ପିଛା ୨୦ ପଇସା ଓ ସଦ୍ୟ ୩୦ ପଇସା ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ କଂଗ୍ରେସ ବିରୋଧ କରୁଛି । ବିଶେଷକରି ଏହାଦ୍ୱାରା ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରିବ ଶ୍ରେଣୀର ଲୋକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କକୁ ପ୍ରତ୍ୟାହାର କରନ୍ତୁ । ସାରା ରାଜ୍ୟରେ ଏଥିପାଇଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଯାହାର ପ୍ରତିଫଳନ କଂଗ୍ରେସ ଦଳ ଡାକରାରେ ସମସ୍ତ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ବିକ୍ଷୋଭରୁ ପ୍ରମାଣିତ ହୋଇଛି ।

ପ୍ରତ୍ୟେକ ବ୍ଲକ କଂଗ୍ରେସ ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତିର ପ୍ରତ୍ୟାହାର ନିମନ୍ତେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ବିଦ୍ୟୁତ୍‌ ଅଧିକାରୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହିପରି ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ କହିଲେ ଯେ ବିଦ୍ୟୁତ୍ ଉତ୍ପାଦ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି କୋଇଲା ଏବଂ ଜଳ । ଯେଉଁଥିରେକି ଆମ ରାଜ୍ୟରେ ସ୍ଥିତି ବହୁତ ଭଲ । କିନ୍ତୁ ରାଜ୍ୟ ସରକାରଙ୍କ ଏହି ବିଦ୍ୟୁତ୍‌ ଦର ବୃଦ୍ଧି ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି କହିଲେ ଯେ ରାଜ୍ୟ ସରକାର ଏବଂ ଘରୋଇ କମ୍ପାନୀଗୁଡିକ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି, ସେଥିରେ ଗରିବ ଜନସାଧାରଣ ହଇରାଣ ହେଉଛନ୍ତି ଏବଂ ବିଦ୍ୟୁତ୍‌ ଉତ୍ପାଦନ ଖର୍ଚ୍ଚ ପ୍ରତ୍ୟେକ ୟୁନିଟ୍‌ ପିଛା ୩ ଟଙ୍କା ହୋଇଥିବା ବେଳେ ସାଧାରଣ ଲୋକ ପ୍ରତି ୟୁନିଟ୍ ପିଛା ୬ ଟଙ୍କା ଦେଉଛନ୍ତି ।
ଟାଟା କମ୍ପାନୀ ନେବା ପୂର୍ବରୁ ୟୁନିଟ୍‌ ପିଛା ୨୦ ପଇସା ବଢ଼ିଥିଲା, ନେବା ପରେ ୩୦ ପଇସା ବଢ଼ାଇଛି ଏହା କାହା ଉଦ୍ଦେଶ୍ୟରେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଶେଷରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ୍‌ ଦାସ କହିଥିଲେ ଯେ ଦିଲ୍ଲୀ ପରି ସହରରେ ନିଜସ୍ୱ ବିଦ୍ୟୁତ୍‌ ଉତ୍ପାଦନର ଉତ୍ସ ନଥିବା ବେଳେ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍‌ ଯାଏଁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯାଉଛି । କିନ୍ତୁ ଓଡିଶାରେ ଆବଶ୍ୟକତା ଠାରୁ ୮୦୦ ମେଗାୱାଟ୍‌ ଅଧିକ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ବେଳେ ଓଡିଶା ସରକାରଙ୍କ ଦ୍ୱାରା ବାରମ୍ବାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଅମୂଳକ । ତେଣୁ ଏହି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ । ନଚେତ୍‌ କଂଗ୍ରେସ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଂଚା ଦେବ ନାହିଁ । ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ ପରିଚାଳନା କରିଥିଲେ ।

ପରିଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍‌ ଦାସଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଓଇଆରସି ଅଧ୍ୟକ୍ଷଙ୍କୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଦୀପ ମାଝୀ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସେକ୍‌ ଅଫତାବ ଅଲ୍ଲୀ, ମୋହନ ଜେନା, ବ୍ରହ୍ମାନନ୍ଦ ସାହୁ, ଆଶିଷ ମଲ୍ଲିକ, ଇନ୍ଦ୍ରଜିତ୍‌ ପରିଡା, ଶ୍ରୀଧର ବଳିଆରସିଂ, ଦୀପକ ସାହୁ, ବିସ୍ମୟ ମହାପାତ୍ର, ମନୋରଞ୍ଜନ ଜେନା, ସୁଶାନ୍ତ ତ୍ରିପାଠୀ, ସଂକୁନା ମହଁର, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଶତ୍ରୁଘନ ବେହେରା, ବିଜୟ ଦ୍ୱିବେଦୀ, ମନୋରଞ୍ଜନ ବଟୁ, ସେକ୍‌ ତାକ୍ୱିମ୍‌, ଶିବନ୍‌ ମୁଶରଫ, ମନୋଜ ସାହୁ, ଦେଓ ପ୍ରସାଦ, ଚିନ୍ମୟ ସୁନ୍ଦର ଦାସ, ପ୍ରମେଶ ସାହୁ, ଅନିଲ୍‌ ଦାସ, ସ୍ୱାଧିନବାଳା ଦାସ, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ସୁବ୍ରତ ସେନାପତି, ଜେ.ବି. ତ୍ରିପାଠୀ, ଏମ୍‌ଡି ଶାହାଦୁଲ୍ଲା, ନିଆଜୁଲ ଇସ୍‌ଲାମ, କୈଳାସ ସାହୁ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।