ଭୁବନେଶ୍ୱର ଏକ ଆପାର୍ଟମେଣ୍ଟକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ଥିବା ଏକ ଆପାର୍ଟମେଣ୍ଟ ମଙ୍ଗଳବାର ୧୦ ଦିନ ପାଇଁ ସିଲ ହୋଇଛି। ସଂପୃକ୍ତ ଆପାର୍ଟମେଣ୍ଟରେ କିଛି ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଏଭଳି ପଦକ୍ଷେପ ନେଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଟଙ୍କପାଣି ରୋଡସ୍ଥିତ ‘ତରୁ’ ଆପାର୍ଟମେଣ୍ଟକୁ ସିଲ କରାଯାଇଛି। ଏଠାରେ କିଛି ଲୋକ କରୋନା ସଂକ୍ରମିତ ହୋଇଥିବାରୁ ଆଜିଠାରୁ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ସିଲ କରାଯାଇଛି। କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କୁ ହୋମ୍‌ ଆଇସୋଲେସନରେ ରହିବାକୁ କୁହାଯାଇଛି। ଏହି ଆପାର୍ଟମେଣ୍ଟକୁ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ‌ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ତରୁ ଆପାର୍ଟମେଣ୍ଟ ସିଲ ହେବା ପରେ ଏଠାକୁ ବାହାର ଲୋକଙ୍କୁ ୧୦ ଦିନ ପାଇଁ ଆସିବା ମନା ହୋଇଛି। ଅପରପକ୍ଷେ ଆପାର୍ଟମେଣ୍ଟର ଲୋକଙ୍କୁ ଆଗାମୀ ୧୦ ଦିନ ପାଇଁ ବାହାରକୁ ନଯିବାକୁ ନିର୍ଦ୍ଦେଶ ହୋଇଛି। କେବଳ ଅନୁମତିପ୍ରାପ୍ତ ବିଏମ୍‌ସି ଅଧିକାରୀ ଯାଇପାରିବେ। ଆକ୍ରାନ୍ତଙ୍କ ଅଧିକ ଚିକିତ୍ସା ଦରକାର ପଡ଼ିଳେ ବିଏମ୍‌ସି ଅଧିକାରୀଙ୍କୁ ଜଣାଇବେ। ଜରୁରୀ ହେଲେ ଆପାର୍ଟମେଣ୍ଟ ସୋସାଇଟି ବିଏମ୍‌ସିକୁ ଫୋନ୍‌ କରି ଜଣାଇବେ।