କରୋନା ସଂକ୍ରମଣ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ପ୍ରଥମେ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଜିଲ୍ଲାରେ ଏହି ସଂଖ୍ୟା ବଢ଼ୁଥିବା ବେଳେ ଏବେ ଅନ୍ୟ ଜିଲ୍ଲାରେ ବି ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ତେଣୁ ଏହାକୁ ରୋକିବାକୁ କ’ଣ ରହିବ ରାଜ୍ୟ ସରକାରଙ୍କ ଆକ୍ସନ ପ୍ଲାନ, ସେ ନେଇ ଆଜି ସନ୍ଧ୍ୟାରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଅପରାହ୍ଣ ୫ଟାରେ ଏ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଏନେଇ ବୈଠକରେ ପ୍ରସ୍ତୁତ ହୋଇପାରେ ଆକ୍ସନ ପ୍ଲାନ୍ । କୋଭିଡ୍ ମୁକାବିଲା ନୂଆ ପଦକ୍ଷେପ ଘୋଷଣା ହୋଇପାରେ ବୋଲି ମଧ୍ୟ ଚାଲିଛି କଳ୍ପନାଜଳ୍ପନା। ରାଜ୍ୟରେ ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ନେଇ କ’ଣ ରହିବ ସରକାରଙ୍କ ରଣନୀତି, ତାହା ଆଜି ସ୍ପଷ୍ଟ ହୋଇଯାଇପାରେ ବୋଲି ଆଲୋଚନା ଜୋର ଧରିଛି।

ସୂଚନାଯୋଗ୍ୟ, ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତିକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ତେଣୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ କ’ଣ ଘୋଷଣା ହେବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏହାବ୍ୟତୀତ ଆଜି ସନ୍ଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସବୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି। ।