ଗତ ୨୪ ଘଣ୍ଟା ମଧ୍ୟରେ ୧.୧୫ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,(ଏସ୍ ନ୍ୟୁଜ): ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୧୫,୭୩୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହା ପୂର୍ବରୁ ରବିବାର ୧,୦୩,୫୫୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ଦେଶରେ ମୋଟ୍ ୮,୪୩,୪୭୩ ଜଣ କରୋନାରେ ସଂକ୍ରମିତ ଥିବା ସୂଚନା ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଏହାକୁ ମିଶାଇ ଦେଶରେ ମୋଟ୍ ୧,୬୬,୧୭୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫେବୃଆରୀ ତୃତୀୟ ସପ୍ତାହରୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୋଭିଡ ଦ୍ରୁତ ଗତିରେ ବ୍ୟାପୁଛି।

ଭାରତରେ ଏଯାବତ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ମୋଟ ୨୫,୧୪,୩୯,୫୯୮ଟି ନମୁନା ପରୀକ୍ଷା କରାଯାଇଛି। ଆଇସିଏମଆର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସାରା ଦେଶରେ ୧୨,୦୮,୩୨୯ ନମୁନା ପରୀକ୍ଷା କରାଯାଇଥିଲା।

ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ ସୁଧାକର କହିଛନ୍ତି ଯେ ବେଙ୍ଗାଲୁରୁ ସହରାଞ୍ଚଳ ବ୍ୟତୀତ ରାଜ୍ୟର ଆହୁରି ୫ଟି ଜିଲ୍ଲା କ୍ରମାଗତ ଭାବରେ କରୋନା ମାମଲା ବୃଦ୍ଧି ହେଉଛି। ଏହି ଜିଲ୍ଲାଗୁଡିକରେ ଅଧିକ ମାତ୍ରାରେ ଟିକା ପଠାଯାଉଛି ଏବଂ ଅଧିକରୁ ଅଧିକ ପରୀକ୍ଷା କରାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।