ଇସ୍ଲାମାବାଦ : ୪ ବନ୍ଦୀ ଭାରତୀୟଙ୍କ ମୁକ୍ତି ଲାଗି ଇସ୍ଲାମାବାଦ ହାଇକୋର୍ଟରେ ଭାରତ ପକ୍ଷରୁ ପିଟିସନ ଦାଖଲ । ପାକିସ୍ତାନ ଜେଲରେ ବନ୍ଦୀ ଥିବା ୪ ଭାରତୀୟଙ୍କ ମୁକ୍ତି ଲାଗି ଗୁରୁବାର ଏହି ପିଟିସନ ଦାଖଲ କରାଯାଇଛି । ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗଙ୍କ ପ୍ରଥମ ସଚିବ ଅର୍ପଣା ରାୟ ୩ ପାକିସ୍ତାନୀ ଓକିଲଙ୍କ ମାଧ୍ୟମରେ ହାଇକୋର୍ଟଙ୍କୁ ପିଟିସନ ଦେଇଛନ୍ତି। ଏମାନେ ସମସ୍ତେ ପାକିସ୍ତାନ ସେନା ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ଦଣ୍ଡ ପୁରା କରିସାରିଛନ୍ତି।
ସେହି ୪ ଜଣଙ୍କ ନାମ ହେଲା ବିରଜୁ ଡୁଂଡୁଂ, ବିଜ୍ଞାନ କୁମାର, ସତୀଶ ଭୋଗ ଓ ସୋନୁ ସିଂହ । ଏମାନେ ଏବେ କରାଚୀ ଜେଲରେ ଅଛନ୍ତି। ପାକ୍ ସୈନ୍ୟ ଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡ ଭୋଗି ସାରିଥିବାରୁ ସେମାନଙ୍କୁ ମୁକ୍ତ କରାଯାଉ ବୋଲି ଯୁକ୍ତି କରାଯାଇଛି।
ସୂଚନା ଅନୁସାରେ ,ଏହି ୪ ଜଣଙ୍କୁ ଅଧିକାରୀକ ଗୋପନୀୟତା ଅଧିନିୟମରେ ପାକିସ୍ତାନ ସେନା ଗିରଫ କରିଥିଲା। ସେମାନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଅଭିଯୁକ୍ତମାନେ ଅସ୍ୱୀକାର କରିଥିଲେ। ତଥାପି ସେମାନଙ୍କୁ ସୈନ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡିତ କରିଥିଲେ। ସେମାନେ ଦଣ୍ଡ ପୁରା କରିସାରିଥିବା ପରେ ବି ଜେଲରେ ଅଛନ୍ତି। ବନ୍ଦୀମାନଙ୍କ ମୁକ୍ତିଲାଗି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅକ୍ଟୋବର ୨୦୧୯ ଓ ମେ ୨୦୨୦ରେ ଔପଚାରିକ ଭାବେ ପାକିସ୍ତାନକୁ ପତ୍ର ଲେଖି ସୂଚିତ ମଧ୍ୟ କରାଯାଇଥିଲା। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ପାକିସ୍ତାନ ଜେଲରୁ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିନାହିଁ।