୭୫ ବର୍ଷରେ ନବୀନ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର(ଏସ୍ ନ୍ଯୁଜ ): ଆଜି ବିଜେଡି ସଭାପତି ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ୭୫ ବର୍ଷ ବୟସରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମୋଦୀ ଟ୍ୱିଟ ଯୋଗେ ଲେଖିଛନ୍ତି , ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।

ହେଲେ ଆଜି ନିଜର ଜନ୍ମଦିନ ପାଳନ କରିବେନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳନ କରୁ ନାହାନ୍ତି ।ଏହା ପୂର୍ବରୁ ସେ ଅନେକ ଥର ନିଜର ଜନ୍ମଦିନ ପାଳନ କରିନାହାଁନ୍ତି। ଯେପରିକି ଫାଇଲିନ୍‌, ହୁଡ୍‌ହୁଡ୍‌ ଓ ଫନୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଭଳି ସମୟରେ ରାଜ୍ୟବାସୀ ଅସୁବିଧାରେ ଦିନ କାଟିଥାନ୍ତି । ଠିକ ସେତେବେଳେ ନବୀନଙ୍କ ଭଳି ଜଣେ ଜନପ୍ରିୟ ନେତା କିପରି ଜନ୍ମଦିନ ପାଳନ କରିପାରିବେ।

ନବୀନ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ଓଡ଼ିଶା ରାଜନୀତି ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଯେଉଁଥିପାଇଁ ଆଜି ବି ସେ ରାଜ୍ୟର ସବୁଠାରୁ ଜନପ୍ରିୟ ନେତା । ସେ ଜଣେ ସମ୍ବେଦନଶୀଳ ନେତା। ନବୀନ ପଟ୍ଟନାୟକଙ୍କୁ ତାଙ୍କ ବ୍ୟକ୍ତିତ୍ୱ ଜନସାଧାରଣଙ୍କ ନିକଟରେ ବେଶ୍ ଆକର୍ଷଣୀୟ କରିଛି । ସାଧାରଣ ନାଗରିକଙ୍କ ପ୍ରତି ଥିବା ତାଙ୍କର କୋମଳ ମନୋଭାବ ବିଭିନ୍ନ ସମୟରେ ତାଙ୍କ ଭିତରେ ସମ୍ବେଦନଶୀଳତାକୁ ପ୍ରତିପାଦନ କରିଛି ।

ସିକିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍‌ଲିଂ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ପରେ ନବୀନ ହେଉଛନ୍ତି ଦେଶର ତୃତୀୟ, ଯିଏ କ୍ରମାଗତ ଭାବେ ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଅଛନ୍ତି। ଓଡ଼ିଶା ରାଜନୀତିକୁ ପାଖାପାଖି ୨୦ବର୍ଷରୁ ଅଧିକ ସମୟ ଧରି ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣ ଭିତରେ ରଖିଛନ୍ତି ନବୀନ। ରେ ତେବେ ନବୀନଙ୍କ ପାଇଁ ଏହି ବର୍ଷଟି ବ୍ୟକ୍ତିଗତ ସ୍ତରରେ ଯେତିକି ମହତ୍ତ୍ବପୂର୍ଣ୍ଣ, ରାଜନୈତିକ କ୍ଷେତ୍ରରେ ସେତିକି ଗୁରୁତ୍ବପୂର୍ଣ୍ଣ ଅଟେ ।

ଏପରିକି ନବୀନ ଆଗାମୀଦିନରେ ନିଜ ଉତ୍ତରାଧିକାରୀ ସଂପର୍କରେ ଅତ୍ୟନ୍ତ ସ୍ପଷ୍ଟମତ ରଖି କହିଛନ୍ତି ଯେ ନିଜ ପରିବାରରୁ କାହାକୁ ଆଣି ରାଜନୀତିରେ ଏଣ୍ଟ୍ରି କରାଇବେ ନାହିଁ। ଏହା ବଦଳରେ ଓଡ଼ିଶାର ନେତାଙ୍କୁ ନିଜେ ଓଡ଼ିଶାବାସୀ ବାଛିବେ। ତାଙ୍କ ବିଚାରରେ ସେ ଓଡ଼ିଶାକୁ ନୂଆ ରୂପ ଓ ଓଡ଼ିଆକୁ ଉନ୍ନତ ସ୍ତରରେ ପହଞ୍ଚାଇବାକୁ ୫ଟି ଉପରେ ଜୋର ଦେଇଛନ୍ତି ।

ସେହିପରି ନବୀନଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ। ବିଜୁ ପଟ୍ଟନାୟକଙ୍କ ପୁଅ, ଡୁନ୍ ସ୍କୁଲ ପାଠପଢା ଓ ତିନି ଖଣ୍ଡ ବହି ଛାଡିଦେଲେ ଅନ୍ୟ ଯାହା ସବୁ ଅନ୍ୟମାନେ ଜାଣିଛନ୍ତି ତାହା ହେଉଛି ବିଭିନ୍ନ ପୁସ୍ତକରେ ତାଙ୍କୁ ନେଇ ଉଲ୍ଲେଖ ଥିବା କିଛି କଥା । ନୂଆଦିଲ୍ଲୀରୁ ଭୁବନେଶ୍ବର ନିଜ ଘରକୁ ଫେରିବା ମଧ୍ୟରେ ଦୁଇ ଦଶନ୍ଧି ବିତିଗଲାଣି। ଏହି ସମୟ ଅତ୍ୟନ୍ତ ଘଟଣାବହୁଳ ଓ ପୁଣି ରହସ୍ୟାବୃତ୍ତ ହୋଇ ରହିଛି । ଆଜି ବି ତାଙ୍କ ବ୍ୟକ୍ତିଗତ ଜୀବନ, ଖାଦ୍ୟ, ରୁଚି, ଚାଲିଚଳନ ସଂପର୍କିତ ଅନେକ କଥା ଉପରୁ ରହସ୍ୟ ଉଠିପାରିନାହିଁ। ତାଙ୍କୁ ସବୁବେଳେ ଏକ ସରଳ ଜୀବନ ଯାପନ କରୁଥିବାର ଦେଖିବାକୁ ପାଇଛନ୍ତି ରାଜ୍ୟବାସୀ।

ସାଧାରଣ ଲୋକଙ୍କ ଆସ୍ଥାଭାଜନ ପାଇଁ ଯାହା ଯେତେବେଳେ କରଣୀୟ, ବିଜେଡି ଓ ନବୀନ ସରକାର ତାକୁ ପ୍ରୟୋଗ କରିଛନ୍ତି, ଆଉ ଆସ୍ଥାଭାଜନ ମଧ୍ଯ ହୋଇ ରହିଛନ୍ତି। ତେବେ ଶାସନ କାଳରେ କିଛି ଜିନିଷରେ ସଫଳତା ହାସଲ ହୋଇଛି, ତ ଅନେକ ବାକି ରହିଛି। କିଛି ପ୍ରକଳ୍ପ ବା ଯୋଜନାକୁ ଅହେତୁକ ସଫଳତା ମିଳିଛି, ଅଧିକାଂଶ ବିଫଳ ଫାଇଲ ଭିତରେ ଆଜି ବି ନିଜ ଭାଗ୍ୟକୁ ଆଶ୍ରା କରି ରହିଛନ୍ତି । ଯାହା ଫଳରେ ସରକାର ଓ ନବୀନ ସମାେଲାଚିତ ହୋଇଛନ୍ତି।ହେଲେ ସମ୍ଭବତଃ ମହାବାତ୍ୟା ପ୍ରାକୃତିକ ବିପର୍ଯ୍ୟୟର କରାଳରୁ ଓଡ଼ିଶାକୁ ବଞ୍ଚାଇ ଶତଚେଷ୍ଟିତ କରି ଶାସନ ଗାଦି କୁ ଭିଡି ଧରିଛନ୍ତି।

ସେହିପରି ଦୁଇ ଦଶନ୍ଧି ଭିତରେ ଆର୍ଥିକ ଦୁଃସ୍ଥିତି ପଞ୍ଝାରୁ ରାଜ୍ୟକୁ ମୁକୁଳାଇବା, ସଫଳତାର ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ଏକାଧିକ ଇସ୍ପାତ କାରଖାନା ସ୍ଥାପନ, ବନ୍ଦର ପ୍ରତିଷ୍ଠା ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ଅନ୍ୟରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଥିବା ବେଳେ ଆନ୍ତର୍ଜାତିକ କ୍ଷେତ୍ରରେ ଓଡିଶା ନାଁ ମଧ୍ଯ କମେଇଛି । ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟସ୍ଥଳୀରେ ପରିବର୍ତ୍ତନ ଯୋଜନା, ସର୍ବୋତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଲକ୍ଷ୍ୟରେ କଟକ ବଡ଼ ମେଡିକାଲ କଲେଜକୁ ଏମ୍‌ସ ପ୍ଲସ ଶ୍ରେଣୀର ଏକ ବିଶ୍ବସ୍ତରୀୟ ପ୍ରକଳ୍ପରେ ପରିଣତ ସଂପର୍କିତ ସ୍ବପ୍ନ ଏବଂ ଦେଶର ପ୍ରଥମ ରାଜ୍ୟ ଭାବେ ଟ୍ୟାପ୍‌ରୁ ପିଇବା ପାଣି ପ୍ରକଳ୍ପ ଭଳି ସଫଳତା ପାଇଁ ନବୀନ୍ ଢେର୍ ସମୟ ଯାଏ ତିଷ୍ଠି ହୋଇ ରହିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଖାଲି ସେତିକି ନୁହେଁ ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ବରାଜ ଓ ବିଜୁ ବାବୁଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ମହିଳା ସଶକ୍ତିକରଣ ନବୀନଙ୍କ ଫୋକସରେ ଅଛି। ଗାଁର ଚେହେରା ଯଥେଷ୍ଟ ବଦଳିଛି। ମିସନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା ସଶକ୍ତିକରଣ ଆଡକୁ ଅଗ୍ରସର ହେଉଛନ୍ତି। ପଞ୍ଚାୟତିରାଜ ସଂସ୍ଥାରେ ୫୦ ପ୍ରତିଶତ, ଲୋକସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିଛନ୍ତି । ଏସବୁ ସତ୍ତ୍ବେ ସମସ୍ୟା ବହୁଳ ରାଜ୍ୟ ଓଡ଼ିଶାକୁ ଦେଶର ସବୁଠାରୁ ବିକଶିତ ରାଜ୍ୟରେ ପରିଣତ କରିବା ରାସ୍ତାରେସେ ଅଗ୍ରସର ହୋଇଚାଲିଛନ୍ତି।