କମୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରତି ଆଗ୍ରହ

ଗୋ-ସମ୍ପଦ ବିକାଶ ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ….

କେସିଙ୍ଗା: ଗୋ-ସମ୍ପଦ ବିକାଶ ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟରେ ଅନେକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଗୋ- ସମ୍ପଦ ବିକାଶ ଦିନକୁ ଦିନ ହ୍ରାସ ପାଉଥିବା ଜଣାପଡ଼ିଛି । ଏହାର ମୁଖ୍ୟ କାରଣ ଗ୍ରାମାଂଚଳରେ ଗୋଚର ଜମି ଅଭାବ । ସାପ୍ତାହିକୀ ଗୋରୁ ବଜାର ତୁଳନାରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଛି । ରାଜ୍ୟ ବାହାରକୁ ବେଆଇନ ଗୋରୁଚାଲାଣ ଗୋ-ସମ୍ପଦର ପ୍ରଧାନ କାରଣ ବୋଲି କିଛି ସଂଗଠନ ଯୁକ୍ତି କରୁଛନ୍ତି । ମାତ୍ର ପ୍ରକୃତ କାରଣ ତାହା ନୁହେଁ ।

ଗାଈଗୋରୁ ପାଳନ ପ୍ରତି ଯୁବଗୋଷ୍ଠୀଙ୍କ ଅନାଗ୍ରହ ଗୋ-ସମ୍ପଦର ମୁଖ୍ୟ କାରଣ । ଆଧୁନିକ ପ୍ରଣାଳୀରେ ଗୋରୁଗାଈଙ୍କ ଯତ୍ନ ନିଆଯାଇପାରିବ । କିନ୍ତୁ ଶିକ୍ଷିତ ଯୁବକ ଯୁବତୀ ଗୋପାଳନ ଜରିଆରେ ଆତ୍ମନିର୍ଭର ଅପେକ୍ଷା ଘରୋଇ କମ୍ପାନୀରେ ଚାକିରି କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଆଗାମୀ ଦିନରେ ଗ୍ରାମାଂଚଳରେ ଗୋରୁଗାଈ ଦେଖିବା ସାତସପନ ହୋଇଯିବ ବୋଲି ବୟସ୍କ ଲୋକମାନେ କୁହନ୍ତି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ । କେସିଙ୍ଗା ବ୍ଲକରେ ଗାଈଗୋରୁ, ଛେଳିମେଣ୍ଢାଙ୍କ ସଂଖ୍ୟା ଆଶାତୀତ ଭାବେ କମିଯାଉଛି । କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଏବେ ୧୮,୧୪୬ ଗାଈଗୋରୁ, ୧୯୬ ମଇଁଷି, ୨୫, ୯୭୬ ଛେଳି ଓ ୫୩୦୧ ମେଣ୍ଢା ଅଛନ୍ତି । ବିଂଶତମ ଗଣନା ଅନୁସାରେ ୨୫,୬୩୫ ଗାଈଗୋରୁ, ୨୫,୬୬୮ ଛେଳିମେଣ୍ଢା ମିଶାଇ ମୋଟ ୫୧,୩୦୩ ପ୍ରାଣୀ ସମ୍ପଦ ଥିଲେ ।