୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଂଟର୍ନସିପ୍‌

୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ….

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଂଟର୍ନସିପ୍‌ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଗାଇଡ୍‌ ଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ସେମିଷ୍ଟାରରେ ଇଂଟର୍ନସିପ୍‌ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ପ୍ରାବଧାନ ରହିଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଉଚ୍‌ଚଶିକ୍ଷା ବିଭାଗର ତତ୍ୱାବଧାନରେ ଶିକ୍ଷାବର୍ଷ ୨୦୨୫-୨୬ରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଇଂଟର୍ନସିପ୍‌ ଓ କମ୍ୟୁନିଟି ସର୍ଭିସରେ ନିୟୋଜିତ କରାଯାଇଛି।

ଏହି ଇଂଟର୍ନସିପ୍‌ର ସମୟସୀମା ୬ ସପ୍ତାହ ରହିଛି। ଇଂଟର୍ନସିପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ମେଂଟରସିପ୍‌ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି, ପଂଚାୟତସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ବିତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ଏନଜିଓ ମାନଙ୍କରେ ଇଂଟର୍ନସିପ୍‌ ସୁଯୋଗ ପ୍ରଦାନ କରାଯାଇଛି।
ଇଂଟର୍ନସିପ୍‌ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ରହିଛି। ଏଥିସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରକଳ୍ପ ଉପସ୍ଥାପନ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ ରିପୋର୍ଟ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀମାନଙ୍କୁ କ୍ରେଡିଟ୍‌ ପ୍ରଦାନ କରାଯିବା ସହ ଏହାକୁ ତାଙ୍କ ଏକାଡେମିକ ବ୍ୟାଙ୍କ ଅଫ୍‌ କ୍ରେଡିଟ୍‌ରେ ମଧ୍ୟ ସ୍ଥାନିତ କରାଯିବ। ଇଂଟର୍ନସିପ୍‌ ସରିବା ପରେ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ। ଚଳିତ ବର୍ଷ ସର୍ବାଧିକ ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କଟକ, ବଲାଙ୍ଗୀର ଜିଲ୍ଲାର ଛାତ୍ରଛାତ୍ରୀମାନେ ଇଂଟର୍ନସିପ୍‌ରେ ଯୋଗ ଦେଇଛନ୍ତି। ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଇଂଟର୍ନସିପ୍‌ରେ ନିୟୋଜିତ କରାଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ପ୍ରାଧାନ୍ୟ ଦିଆଯାଉଛି।

ଇଂଟର୍ନସିପ୍‌ ଓ କମ୍ୟୁନିଟି ସର୍ଭିସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ଏକ୍ସପୋଜର ପାଇପାରିବେ। ଏଥିସହ ତୃଣମୂଳ ସ୍ତରରେ ହେଉଥିବା କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ମଧ୍ୟ ଅବଗତ ହୋଇପାରିବେ।
ବିଭିନ୍ନ ସରକାରୀ ଅନୁଷ୍ଠାନ, ବେସରକାରୀ ଉଦ୍ୟୋଗ, ଏନ୍‌ଜିଓ ମାନଙ୍କରେ ଇଂଟର୍ନସିପ୍‌ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ ଅବଗତ ହୋଇପାରିବେ, ଯାହାକି ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଓ ଉଦ୍ୟମିତା କ୍ଷେତ୍ରରେ ସହାୟକ ହେବ’, ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।