ରତ୍ନଭଣ୍ଡାରରୁ ଅଳଙ୍କାର କାଢ଼ିବାକୁ ଲାଗିଗଲା ୪ ଘଂଟା

ରତ୍ନଭଣ୍ଡାରରୁ ଅଳଙ୍କାରଗୁଡ଼ିକ ଅପସାରଣ ପାଇଁ ପ୍ରାୟ ୪ ଘଂଟା ସମୟ ଲାଗିଥିଲା । ସକାଳ ପ୍ରାୟ ୧୧ଟା ସମୟରେ ରତ୍ନଭଣ୍ଡାର ବାହାର ପାଖ ତାଲା ଖୋଲା ଯାଇଥିଲା ।

ସବୁ କାମ ସରିବା ପରେ ଶ୍ରୀମନ୍ଦିରସ୍ଥିତ ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା କୋଷାଧ୍ୟକ୍ଷଙ୍କ ଜିମା ଦିଆଯାଇଛି । ଦିନ ୩ଟା ବେଳକୁ ସାଧାରଣ ଲୋକଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଇଥିଲା ।

ରତ୍ନଭଣ୍ଡାର ଭିତରୁ ଅଳଙ୍କାର ଅପସାରଣ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଭିଡ଼ିଓ ଚିତ୍ର ପ୍ରସ୍ତୁତ କରାଯାଇଛି । ଅଳଙ୍କାରଗୁଡ଼ିକର ମୂଲ୍ୟାଙ୍କନ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

ବାହାର ରତ୍ନଭଣ୍ଡାର ଚାବି ଶ୍ରୀମନ୍ଦିର ପ୍ରଶାସନ ଜିମା ଦିଆଯାଇଛି । ବାହାର ରତ୍ନଭଣ୍ଡାରରେ ଝୁଲୁଥିବା ତାଲାର ଚାବିର ଗୋଟିଏ ନକଲ ଗଜପତି ମହାରାଜଙ୍କ ପ୍ରତିନିଧିଙ୍କ ଜିମା ଦିଆଯାଇଚି ।

ଠାକୁରଙ୍କ ଅଳଙ୍କାରଗୁଡ଼ିକ ଭିତରୁ କିଛି ଯେପରି ହଜି ନଯାଏ, ସେଥିପାଇଁ ଏକାଧିକ ଲୋକଙ୍କ ହାତକୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଧରାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ବେଶ କିଛିଦିନ ଧରି ଅସ୍ଥାୟୀ ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଅଳଙ୍କାରମାନ ରଖାଯାଇଥିଲା, ଆଜି ବିଧିବଦ୍ଧ ଭାବେ ସେଗୁଡ଼ିକ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।