କାଳିଆପାଣି: ଗୁରୁବାର ପାଣି ପାଇଁ ଖଣି ଅଂଚଳ ବିଦ୍ରୋହ ଦେଖିବାକୁ ମିଳିଥିଲା। ୩ ଶହରୁ ଅଧିକ ମହିଳା ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ‘ସରକାର ଆମକୁ ପାଣି ଦିଅ, ଜୀବନ ବଂଚାଅ’ ନାରାବାଜି କରିଥିଲେ।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଂଚାୟତ ୧୦ ନମ୍ବର ୱାର୍ଡ ମହ୍ଲାରସାହି ମାଙ୍କିଡିଆ ବସ୍ତି ଓ ୫ ନମ୍ବର ୱାର୍ଡ କାଟେପୂର୍ତି ନଗର ବସ୍ତିବାସିନ୍ଦା ଉକ୍ରଟ ପାନୀୟଜଳ ସଂକଟରେ ସନ୍ତୁଳି ହେଉଥିବା ଦେଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକଙ୍କୁ ସ୍ୱାଭାବିକଠାରୁ ଅଧିକ ଜଳ ଆବଶ୍ୟକ ଥିବାବେଳେ ଜଳାଭାବ ପରିସ୍ଥିତି ପାଇଁ ୩ ଶହରୁ ଅଧିକ ପରିବାର ମାସେରୁ ଅଧିକ ଦିନ ଧରି ନାହିଁ ନଥିବା ହଇରାଣ ହେଉଛନ୍ତି।
ପିଇବା ପାଣି, ରୋଷେଇ ଓ ଶୌଚସ୍ନାନ ସମସ୍ୟା ଉକ୍ରଟ ହୋଇଛି। ଜଳସଂକଟ ଅସହ୍ୟ ହେଉଥିଲେ ହେଁ ପ୍ରଶାସନ ଓ ଖଣି କର୍ତୃପକ୍ଷ ନିରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ଅଭିଯୋଗ କରି ମହିଳାମାନେ ସର୍ବସାଧାରଣରେ ସରକାର, ଜନପ୍ରତିନିଧି ଓ ଖଣି କର୍ତୃପକ୍ଷଙ୍କୁ ଗାଳି କରିଥିଲେ।
ଲୋକେ ଅଭିଯୋଗ କରନ୍ତି ଯେ, ବସ୍ତିର ୬ଟି ନଳକୂଅ ମଧ୍ୟରୁ ୩ଟି ସ୍କୁଲପାଖ, ଲକ୍ଷ୍ମଣ ବାସ୍କେ ଘରପାଖ ଓ ଲୋକନାଥ ମହାନ୍ତଙ୍କ ଘର ପାଖ ନଳକୂଅ ଅଚଳ ପଡିଛି। ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପ ପାଣି ଦୁଇଟି ଯାକ ବସ୍ତିରେ ପହଂଚୁନି। ଏପ୍ରିଲ ୧୫ ତାରିଖରୁ ପ୍ରଭାବିତ ଅଂଚଳବାସୀଙ୍କୁ ୨ ମାସ ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥାରେ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟିଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିବା କର୍ତୃପକ୍ଷମାନେ ଏ ଯାବତ୍ ନିଷ୍ପତି ଅନୁପାଳନ କରି ନଥିବା ଅଭିଯୋଗ କରିଥିଲେ। ନଳକୂଅ ପାଖରେ ପିଇବା ପାଣି ସଂଗ୍ରହ ପାଇଁ ଅଧିକ ଭିଡ କାରଣରୁ ଘଂଟାଏ ମଧ୍ୟରେ ଗୋଳିପାଣି ଉଠୁଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁ ନଥିବା କହିଥିଲେ। ପଥର ଚଟାଣ ଉପରେ ଗଛ ବିହୀନ ବସ୍ତିରେ ଦୂରରୁ ଖରାତାତିରେ ପାଣି ଆଣିବାକୁ ଯାଇ ଫେରିଲା ବେଳକୁ ଜୀବନ ଛାଡିଗଲା ଭଳି ଲାଗୁଥିବା ଦର୍ଶାଇ ମହିଳାମାନେ କ୍ଷୋଭ ପ୍ରକାଶ କରିଥିଲେ। ବିଭାଗୀୟ ଯନ୍ତ୍ରୀ ଇଂ ଦଶରଥ ନାଏକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ‘ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ’ କହିଛନ୍ତି।