ଶାନ୍ତି ଓ ଅହିଂସା ବାର୍ତା ଦେଉଛି : ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ପର୍ଯ୍ୟଟନ ….
ଯାଜପୁର/ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ବେଶ ଉତ୍ସାହର ସହ ପାଳନ କରାଯାଉଅଛି। ସମ୍ମିଳନୀର ଚତୁର୍ଥ ଦିନରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିରାଙ୍ଗର ବୌଦ୍ଧ ଗୁରୁ ଜିଗମେ ରିଙ୍ଗପୋଚେ, ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନ୍ ୱାଙ୍ଗମୋ ଦିକ୍ସେ ପ୍ରମୁଖ ଯୋଗ ଦେଇଥିଲେ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ କହିଥିଲେ ଯେ, ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ମାଧ୍ୟମରେ ବୌଦ୍ଧ ପର୍ଯ୍ୟଟନର ବିକାଶ ହେବା ସହ ଶାନ୍ତି ଏବଂ କରୁଣାର ବାର୍ତା ସାରା ବିଶ୍ୱରେ ପହଂଚି ପାରିବ। ଏଇ ଓଡ଼ିଶା ମାଟି ସର୍ବଦା ଆଧ୍ୟାତ୍ମିକତାର ପଥରେ ଅଗ୍ରସର ହୋଇଆସିଛି। ଓଡ଼ିଶା ସରକାର ଏହି ଦିଗରେ ଅନେକ ପ୍ରୟାସ କରୁଛନ୍ତି। ରତ୍ନଗିରି, ଲଳିତଗିରି, ଉଦୟଗିରି, ଜିରାଙ୍ଗ, ଧଉଳି ଭଳି ବୌଦ୍ଧ କୀର୍ତିରାଜିର ସାମଗ୍ରିକ ବିକାଶ, ଐତିହ୍ୟ ସଂରକ୍ଷଣ ଏବଂ ଇତିହାସ ସମ୍ବନ୍ଧୀୟ ଆଧୁନିକ ଗବେଷଣା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ସରକାର ଲାଇଟ ଅଫ୍ ବୁଦ୍ଧ ଫାଉଣ୍ଡେସନ୍ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ବୌଦ୍ଧ ଧର୍ମ ବିକାଶ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ସହ ଓଡ଼ିଶାକୁ ଭାରତର ବୌଦ୍ଧ ପର୍ଯ୍ୟଟନ ସର୍କିଟ ସହ ଯୋଡ଼ିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାସହ ଜିରାଙ୍ଗ ମହାବିହାରର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ।
ସେହିଭଳି ଓଡ଼ିଆ,ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ ଆୟୋଜନ ହେବା ଦ୍ୱାରା ବୌଦ୍ଧଧର୍ମର ଶିକ୍ଷା ଏବଂ ଓଡ଼ିଶାରେ ରହିଥିବା ବୌଦ୍ଧ କୀର୍ତିରାଜିର ବହୁଳ ପ୍ରଚାର ଓ ପ୍ରସାରରେ ହୋଇପାରୁଛି। ଦେଶ ବିଦେଶର ବୌଦ୍ଧ ଧର୍ମାବଲମ୍ବୀମାନେ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସଭା ଓ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ଯୋଗ ଦେଇଛନ୍ତି।
ଏହାସହ ଓଡ଼ିଶାରେ ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ବଜ୍ରଯାନ ସମ୍ବନ୍ଧୀୟ ପ୍ରମାଣ ରହିଥିବା ଏବଂ ବୌଦ୍ଧଧର୍ମର ବିଭିନ୍ନ ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିଥିବାରୁ ସମସ୍ତ ଗବେଷକ ମାନଙ୍କୁ ସାଧୁବାଦ ଜଣାଇଥିଲେ।