ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଜନ୍ମଦିବସ ପାଳିତ ।

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଭୁବନେଶ୍ୱର ତା ୧୦.୮- ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଜନ୍ମଦିବସ ପାଳିତ ।ଆଜି ପୂର୍ବାହ୍ନ ୭ଘଂଟା ସମୟରେ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଲିଙ୍ଗରାଜ ମନ୍ଦିର, ଦକ୍ଷୀଣଚଣ୍ଡି ମନ୍ଦିର, ସୁନ୍ଦରପଦା ମସ୍‌ଜିଦ ଓ ସତ୍ୟନଗର ଚର୍ଚ୍ଚଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପୁରୁଣା ଭୁବନେଶ୍ୱର ଏବଂ ଜଟଣୀ ସ୍ଥିତ ଡାକ୍ତରଖାନାରେ ଫଳ ଓ ମାସ୍କ ବଂଟନ କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବସ୍ତ୍ରଦାନ କରାଯାଇଥିଲା । ମାଉସୀମା ଛକଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।

ଶ୍ରୀ ରାଉତରାୟଙ୍କ ବାସଭବରେ ଜୟନ୍ତୀ କମିଟି ପକ୍ଷରୁ ମିଷ୍ଟାନ୍ନ ବଂଟନ ଏବଂ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା । ଅପରାହ୍ନରେ ଇଡକଲ ହଲରେ ବିଧାୟକ ଶ୍ରୀ ରାଉତରାୟଙ୍କର ଦୀର୍ଘ ଛଅଦଶନ୍ଦିର ରାଜନୈତିକ ଜୀବନ, ଛାତ୍ର ରାଜନୀତି, ସମାଜସେବା ଓ ଘଟଣାବହୁଳ ଜୀବନ ଉପରେ ଆଧାରିତ “ମାଡ଼ିଚାଲ” ନାମକ ଏକ ପୁସ୍ତକର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଲୋକାର୍ପଣ ଉତ୍ସବରେ ପଦ୍ମଶ୍ରୀ କବି ହଳଧର ନାୟକ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଦଉଡ଼ରାଣୀ ଦୂତି ଚାନ୍ଦ, ପଦ୍ମଶ୍ରୀ ଦେବୀପ୍ରଶନ୍ନ ପଟ୍ଟନାୟକ, ଶିଳ୍ପୀ ସୁଦର୍ଶନ ସାହୁ, ଶିଳ୍ପି ପ୍ରଭାକର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତରାୟଙ୍କର ଘଟଣାବହୁଳ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉତରାୟ ତାଙ୍କର ସୁଦୀର୍ଘ ରାଜନୈତିକ ଜୀବନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କ ସହ ତାଙ୍କର ସମ୍ପର୍କ ଏବଂ ନିସ୍ୱାର୍ଥପର ସମାଜସେବା ଉପରେ ଅବତାରଣା କରିଥିଲେ । ଏହାପରେ ୮ନମ୍ବରରେ କେବିଏନ ଗ୍ରୁପ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେୃତ୍ୱରେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଉତରାୟ ଛାତ୍ର ଓ ଯୁବକମାନଙ୍କୁ କହିଥିଲେ ଯେ ସମାଜସେବାକୁ ଜୀବନର ପରମ ଧର୍ମ ଭାବରେ ଗ୍ରହଣ କର । ଦୟାନଦୀ କୂଳ ଧଉଳି ପାହାଡ଼ ନିକଟସ୍ଥ ଲିଙ୍ଗିପୁର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା ଏବଂ ପରିଶେଷରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀମାନେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳନ କରିଥିଲେ । କେଦାର ଗୌରୀ ନିକଟସ୍ଥ ଗୁଆଝର ଠାରେ ଗୁଆଝର ସଂଗଠନ ପକ୍ଷରୁ ମଧ୍ୟ ଶ୍ରୀ ରାଉତରାୟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା ।
ବିଭିନ୍ନ ଦଳର ରାଜନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ସମାଜସେବୀ, ଲେଖକ, କବି, ଛାତ୍ର ନେତା, ଯୁବ ନେତା, ନାରୀ ନେତ୍ରୀ, ବୁଦ୍ଧିଜିବୀ ଓ ଶ୍ରମିକ ନେତା ପ୍ରମୁଖ ସୁରେଶ କୁମାର ରାଉତରାୟଙ୍କ ବାସସ୍ଥାନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।