ଭୁବନେଶ୍ୱର: ବିଶ୍ୱ ହସ୍ତୀ ଦିବସ ଆମକୁ ହାତୀ ମେଳରେ ରହିବାର ସାହସ ଭରିଦିଏ । ତା’ ସହିତ ଆମ ଗହଣରେ ରହି ସମୟ ଜୁଆରରେ ଭାସି ଯାଇଥିବା ହାତୀଗୁଡ଼ିକର କଥା ମନେ ପକାଇଦିଏ । ପିଲାଦିନର ‘ଝୁଲୁରେ ହାତୀ ଝୁଲୁ’ ଗୀତଟି ଆଜି ଆମ ପାଇଁ ମୂଲ୍ୟହୀନ ପାଲଟିଛି । ବଣଜଙ୍ଗଲରେ ବୁଲୁଥିବା ହାତୀଟି ସୁସ୍ଥ ରହିଲେ ସିନା ବା’ପାଣି ପିଇ ଫୁଲିବ । ‘ହାତୀ-ମଣିଷ ଲଢେ଼ଇ’ ଚାଲିଲେ, କୋଉ ହାତୀ ନିର୍ଭୟରେ ବୁଲିବାର ସୁଯୋଗ ପାଇବ । ଦିନକୁ ଦିନ ଜଙ୍ଗଲ ସଙ୍କୁଚିତ ହେଉଛି; ସେଭଳି କ୍ଷେତ୍ରରେ ହାତୀପଲ ଖାଦ୍ୟ ଖୋଜି ଖୋଜି ଜନପଦରେ ପ୍ରବେଶ କରିବା ସୁନିଶ୍ଚିତ । ସରକାରଙ୍କ ବିକାଶ ଯଜ୍ଞରେ ଶତାୟୁ ଗଛକୁ ବଳି ପକାଇ ଦିଆଯାଉଛି । ଗାଁ ଗଣ୍ଡାରେ ରହୁଥିବା ଲୋକମାନେ ବସବାସ ଅବା ପେଟପାଟଣା କାରଣରୁ ଜଙ୍ଗଲ ସଫା କରୁଛନ୍ତି । ହାତୀର ଚରାଭୂଇଁ ଜଙ୍ଗଲ । ଜଙ୍ଗଲ ପଦା କରିବା ନିଶ୍ଚିତ ରୂପେ ଉଭୟ ହାତୀ ଓ ମଣିଷ ପାଇଁ କ୍ଷତିକାରକ ।
ଆମ ପାଇଁ ପ୍ରକୃତିର ଆଶୀର୍ବାଦ । ପ୍ରକୃତି ସହିତ ଖେଳିବା ଅର୍ଥ ମରଣ ସହ ଖେଳିବା । ମରଣ ସହ ଖେଳି କେହି କେବେ ଜିତିପାରିନି । ତେଣୁ ହାତୀ ସହ ଦୋସ୍ତି କରିବା ଆମ ପକ୍ଷେ ବୁଦ୍ଧିମାନର କାମ ।
ଏବେ ଆସନ୍ତୁ ହାତୀ ପ୍ରତି ଆମର ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିବା । କିଛି ପଶୁପକ୍ଷୀ ସଂଗଠନ ଗଣମାଧ୍ୟମରେ ଚର୍ଚ୍ଚିତ ହେବା ପାଇଁ ନାମକୁ ମାତ୍ର ‘ହାତୀ ଦିବସ’ ପାଳନ କରନ୍ତି । ପଶୁପକ୍ଷୀଙ୍କୁ ଭଲ ପାଉଥିବା ଲୋକ ପାଇଁ ପ୍ରତିଟି ଦିନ ‘ପଶୁପକ୍ଷୀ’ ପାଇଁ ସମର୍ପିତ । ବୁଲାଷଣ୍ଢ, ବୁଲାକୁକୁରକୁ ଘୃଣା କରୁଥିବା ଲୋକ ‘ହାତୀ ଦିବସ’ରେ କାନ୍ଦି ପକାଇବା ହାସ୍ୟାସ୍ପଦ ।
ଏବେ ଆମ ଚିଡ଼ିଆଖାନା କଥା ଆଲୋଚନା କରିବା । ଭୁବନେଶ୍ୱର ଉପକଣ୍ଠ ଚିଡ଼ିଆଖାନାରେ ରହୁଛନ୍ତି ଚାରୋଟି ମାଈହାତୀ । ସେମାନଙ୍କ ଭିତରୁ ଦୁଇଟି ବୁଢ଼ୀ ହେଲେଣି । ଗୋଟିଏ ଯୌବନରେ ପଦାର୍ପଣ କରି ପୁରୁଷ ହାତୀକୁ ଝୁରୁଛି । ନନ୍ଦନକାନନ ଅଧିକାରୀଙ୍କ ଦୟାରୁ ସଙ୍ଗଲାଭ ନକରି ମାହୁନ୍ତକୁ ମାରିବାକୁ ଗୋଡ଼ାଉଛି । ରାଜ୍ୟରେ ଦକ୍ଷ ପ୍ରାଣୀ ଚିକିତ୍ସକ ମରୁଡ଼ି କାରଣରୁ ପାଂଚୋଟି କୁନି ହାତୀ ମରିଛନ୍ତି । ରାଜ୍ୟରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାଣୀ ମହାବିଦ୍ୟାଳୟରୁ ଉତୁରୁଥିବା ପଶୁ ଡାକ୍ତରମାନଙ୍କ ପୋଥିଗତ ବିଦ୍ୟା ନନ୍ଦନକାନନରେ ରହୁଥିବା ପ୍ରାଣୀମାନଙ୍କ କାମରେ ଲାଗୁନି । ପଶୁ ମହାବିଦ୍ୟାଳୟକୁ ପରିଦର୍ଶନରେ ଆସୁଥିବା ବିଦେଶୀ ପଶୁ ଚିକିତ୍ସକମାନେ ଆମ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ପାଠ ପଢ଼ାଇବାକୁ ନାରାଜ ।
ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ବିନା ପଶୁ ମହାବିଦ୍ୟାଳୟ ମୂଲ୍ୟହୀନ । ଖାସ୍ ସେହି କାରଣରୁ ଆମେ ଜୁଲି, ଚନ୍ଦନ, ଗୌରୀ, କମଳା ଭଳି କୁନି ହାତୀଙ୍କୁ ହରାଇଲୁ । ହାତୀ ଦିବସ କେବଳ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ଲୋଗାନ୍ ପ୍ରତିଯୋଗିତାରେ ସୀମିତ ନରହୁ । ହାତୀ ପ୍ରତି ଆମ ମନରେ ଦାୟିତ୍ୱବୋଧ ବଂଚାଇ ରଖୁ । ବିଶେଷ କରି ଜଙ୍ଗଲ ନିକଟରେ ଥିବା ଗାଁଗଣ୍ଡାର ଛାତ୍ରଛାତ୍ରୀ ଓ ଲୋକଙ୍କ ମନରେ ହାତୀ ପ୍ରତି ଭଲ ପାଇବା ଶିଖାନ୍ତୁ ।