ଟ୍ୱିନ୍‌ସିଟିରେ କାଳବୈଶାଖୀ: କୁଆପଥର ମାଡ଼, ଘଡଘଡି, ବର୍ଷା

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଅପରାହ୍‌ଣରେ …

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଅପରାହ୍‌ଣରେ କାଳବୈଶାଖୀର ଉଗ୍ରରୂପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ କୁଆପଥର ମାଡ ହୋଇଛି। ସେହିପରି ଘଡଘଡି ସହିତ ବଜ୍ରପାତ ହୋଇଛି। ଅପରାହ୍ଣ ପ୍ରାୟ ସାଢେ଼ ୪ଟାରେ ଭୁବନେଶ୍ୱର ଆକାଶରେ ମେଘ ଘୋଟି ଆସିଥିଲା। ପ୍ରାୟ ୪ଟା ୪୫ ମିନିଟ୍‌ ବେଳକୁ ପବନ ବହିବା ଆରମ୍ଭ କରିଥିଲା ଏବଂ ଏହାର ୧୫ ମିନିଟ ପରେ କାଳବୈଶାଖୀ କରାଳ ରୂପ ଦେଖାଇଥିଲା।

ଭୁବନେଶ୍ୱରବାସୀ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଛନ୍ତି। ଥଣ୍ଡା ପବନର ଅନୁଭବ କରିଛନ୍ତି। ବର୍ଷା ସମୟରେ ପବନର ବେଗ ମଧ୍ୟ ବଢ଼ିଛି। ବସ୍ତି ଅଂଚଳରେ ଥିବା ଚାଳଛପରକୁ କ୍ଷତି ପହଂଚାଇଥିବା ସୂଚନା ମିଳିଥିବା ବେଳେ ରାସ୍ତାକଡରେ ଥିବା ବଡବଡ ହୋର୍ଡିଂଗୁଡିକ କ୍ଷତିଗ୍ରସ୍ତ ହୋଇଛି।

କଟକରେ ମଧ୍ୟ କୁଆପଥର ମାଡ ହୋଇଛି। ଘଡଘଡି ବର୍ଷା ଏବଂ ବଜ୍ରପାତ ହୋଇଛି। କିଛି ସ୍ଥାନରେ ଚାଳଛପର ଘର ଭାଙ୍ଗିଥିବା ବେଳେ ତଳିଆ ଅଂଚଳରେ ପାଣି ଭର୍ତି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ କାଳବୈଶାଖୀ ଜନିତ କ୍ଷୟକ୍ଷତି ଜଣାପଡି ନାହିଁ।
ମାର୍ଚ୍ଚ ଶେଷ ସପ୍ତାହରେ ଓଡିଶାରେ କାଳବୈଶାଖୀ ଦେଖିବାକୁ ମିଳିବ। ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ଏଥିସହ ବିଜୁଳି, ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ଙ୍କ ପକ୍ଷରୁ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ପାଗ ଦେଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଯଦି କାଳବୈଶାଖୀ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୁଏ ତେବେ ତୁରନ୍ତ ରିପୋର୍ଟ ଦାଖଲ କରିବ ଜିଲ୍ଲା ପ୍ରଶାସନ।