ଭୁବନେଶ୍ୱର: କାଳିଆ ତାଲିକାଭୁକ୍ତ ଚାଷୀଙ୍କୁ ମୁଣ୍ଡ ପିଛା ଦୁଇହଜାର ଟଙ୍କା ଦିଆଗଲା । ପ୍ରକୃତ ଚାଷୀଙ୍କ ଓଠରେ ସାମାନ୍ୟ ହସ ଦେଖିବାକୁ ମିଳିଲା । ନାମମାତ୍ର ଚାଷୀଙ୍କ ମୁହଁରେ ହସର ଝରଣା ବୋହିଗଲା । ହେଲେ କେନ୍ଦୁଝର କାଜୁଚାଷୀଙ୍କ ମନଟା ଝାଉଁଳି ଯାଇଛି । ପଚାରିବାରୁ ଜଣାପଡ଼ିଲା ଯେ ଉଦ୍ୟାନ ବିଭାଗ ତାଙ୍କୁ କାଜୁଚାଷର ସପନ ଦେଖାଇ ଠକି ଦେଇଛି । ନବୀନବାବୁଙ୍କ ଶାସନରେ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ କେନ୍ଦୁଝର ଚାଷୀଙ୍କୁ ଠକିଛି; କେତେବଡ଼ କଥାଟା ନହେଲା? ନବୀନବାବୁଙ୍କ ଲୋକପ୍ରିୟ ଶାସନକୁ ବଦନାମ କରିବାର ପ୍ରୟାସ!
ଆମେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସେଣ୍ଡକାପ ଗ୍ରାମର ଚାଷୀଙ୍କ କଥା ଲେଖୁଛୁ । ଗୋଟାଏ ବଡ଼ ଧରଣର ଦୁର୍ନୀତିର ସୁଗନ୍ଧ ଅନୁଭୂତ ହେଉଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ମନରେଗା) ମାଧ୍ୟମରେ ସେଣ୍ଡକାପ ମୁଣ୍ଡୁଳି ସାହିର ୧୨ ଜଣ ଚାଷୀଙ୍କର ୮ ହେକ୍ଟର ଜମିରେ ୧୯ ଲକ୍ଷ ଟଙ୍କା ବିନିମୟରେ କାଜୁ ଚାରାରୋପଣ କରାଯାଇଥିଲା । ୨୦୨୧ ଜୁନରେ ଆରମ୍ଭ କାଜୁ ଚାରାରୋପଣ ଅନୁସାରେ ଅଣକୁଶଳୀ ଶ୍ରମିକ ମଜୁରି ବାବଦରେ ୩ ଲକ୍ଷ ୨ ହଜାର ୭୦୫ ଟଙ୍କା ଓ ଉପକରଣ ବାବଦକୁ ୨ ଲକ୍ଷ ୪୩ ହଜାର ୮୦୨ ଟଙ୍କା ଖର୍ଚ୍ଚ କରାଯାଇଛି । ମୋଟ ୫ ଲକ୍ଷ ୪୬ ହଜାର ୫୦୭ ଟଙ୍କା ଖର୍ଚ୍ଚ କରାଯିବା ପରେ ଏବେ କାଜୁ ବଗିଚା ବୋଲି ଖାଲି ଜମି ଦେଖିବାକୁ ମିଳିଛି ।
ମନରେଗା ପାଣ୍ଠି ଖର୍ଚ୍ଚ ସମୟରେ ସର୍ତ ଖିଲାପ କରାଯାଇଥିବା ଅଭିଯୋଗ ମୁଣ୍ଡ ଟେକିଛି । ବହୁ ଶ୍ରମିକ ମଜୁରି ପାଇ ନଥିବା ଅଭିଯୋଗ କରିଛନ୍ତି । ଗତ ଦୁଇରୁ ତିନିବର୍ଷ ଭିତରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରେ ଶତାଧିକ ଚାଷୀଙ୍କର ହଜାର ହଜାର ହେକ୍ଟର ଜମିରେ କୋଟି କୋଟି ଟଙ୍କା ବିନିମୟରେ କଲମୀ କାଜୁଚାରା ରୋପଣ କରାଯାଇଥିଲା । ମାତ୍ର ଆଜି ସେସବୁ ଜମି ଚାଷୀ ଓ ସରକାରଙ୍କ ବିଫଳତାକୁ ବୟାନ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟାନ ଚାଷ ଯୋଜନାକୁ ଉପହାସ କରୁଛି । ଉଦ୍ୟାନ ବିଭାଗର ପଦସ୍ଥ ଅଧିକାରୀ ଜୟନ୍ତ ନାୟକ କହିଛନ୍ତି ଯେ ମନରେଗା ଯୋଜନାରେ ଲଗାଯାଇଥିବା କାଜୁଚାରାଗୁଡ଼ିକ ନଷ୍ଟ ହୋଇଯିବା ପରେ ଆଉ ପରବର୍ତୀ ପଦକ୍ଷେପ ସମ୍ପର୍କରେ ଆମକୁ ସୂଚନା ଦିଆଯାଇନି । ତେଣୁ ଆମେ ଚାଷୀଙ୍କୁ ବାଟ କଢ଼ାଇବା ପାଇଁ ଆମ ପାଖରେ କୌଣସି ଉପାୟ ନାହିଁ ।