ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ଚଉକିରେ ପ୍ରଥମ କରି ବସିବା ସମୟରେ ତାଙ୍କ ମୁହଁରେ ଦିଶୁଥିଲା ଏକ ଚମକ । ଏବେ ତାଙ୍କ ମୁହଁଟା ମଉଳି ଗଲାଣି । ଦଳର ଲୋକମାନେ କହୁଛନ୍ତି, ବାବୁ ବୟସର ଅପରାହ୍ଣରେ ପହଂଚିଲେଣି । ତେଣୁ ମୁହଁର ଚମକ ଆଉ ନାହିଁ । ମାତ୍ର ସତରେ କ’ଣ ସେଇଆ? ନିର୍ମଳ ଶାସନର ଉଦାହରଣ ଦେଖାଇବା ପାଇଁ ଯୋଉ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟର ତିନିଜଣ ମନ୍ତ୍ରୀଙ୍କୁ ବାହାର କରି ଦେଇଥିଲେ । ସେହି ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ଏବେ ମାଳମାଳ ଅଭିଯୁକ୍ତ । ଗୋଟି ଗୋଟି କରି ହିସାବ କଲେ, ପ୍ରାୟ ୮୦ରୁ ଅଧିକ ବିଧାୟକଙ୍କ ମୁଣ୍ଡରେ ନାନା ଅପରାଧର କଳଙ୍କ ଲାଗିଛି । ବିଧାୟକଙ୍କ କଥା ଛାଡ଼ନ୍ତୁ । ଅନ୍ୟର ଦୋଷକୁ ଘୋଡ଼ାଇବା ଭିତରେ ନିଜେ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ଛନ୍ଦି ହୋଇଗଲେଣି । ସମସ୍ତେ କହୁଛନ୍ତି, ଅଣଓଡ଼ିଆ ଆଇଏଏସ ଅଧିକାରୀଙ୍କୁ ମୁଣ୍ଡରେ ବସାଇବା ଦିନଠାରୁ ସାରଙ୍କ ମୁହଁଟା ଧିରେ ଧିରେ ମଉଳି ଗଲାଣି ।
ଏଇ ଦେଖିଲେନି କି, ପୁରୀକୁ ପଠାଇଥିଲେ ବ୍ୟକ୍ତିଗତ ସଚିବଙ୍କୁ । ସଚିବଙ୍କ ମୁହଁରେ ବାଜିଲା କାଳିମାଡ଼ । ଉପସ୍ଥିତ ମା’ ମାଉସୀମାନେ ସଚିବଙ୍କ ମୁହଁରୁ କାଳି ପୋଛିଦେଲେ । ସଚିବ ସିନା ଦାନ୍ତ ନେଫେଡେଇ ଫେରିଆସିଲେ, ହେଲେ ମୁଖିଆଙ୍କୁ ରାତିରେ ନିଦ ହୋଇ ନଥିବ । କାଳି ପକାଇଥିବା ଲୋକଟିକୁ ପୁଲିସ ଗିରଫ କଲା । ହେଲେ ତାକୁ ନଛାଡ଼ିବା ବ୍ୟତୀତ ଅନ୍ୟ ଚାରା ନଥିଲା । ଆପଣା କଲା କର୍ମମାନ । ନିର୍ବାଚନ ସମୟ ପାଖେଇ ଆସିଲାଣି । ନବଦାସ ହତ୍ୟା ମାମଲାକୁ ଚପାଇ ଦେଲେ ଚଳିବ, ସେଇଟା ଦଳର ଭିତିରିଆ କଥା । ମାତ୍ର କାଳିମାଡ଼ ଘଟଣାରେ ଅଭିଯୁକ୍ତକୁ ଜେଲ ପଠାଇଦେଲେ ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧିବାର ଆଶଙ୍କା ରହିଛି ।
ମାହାଙ୍ଗା ଅଂଚଳରେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିଜେଡିର କିଛି ନେତା ଛନ୍ଦି ହୋଇଯାଇଛନ୍ତି । ପୁଲିସ ୨୦ରୁ ଅଧିକ ଲୋକଙ୍କୁ କେବଳ ପଚରାଉଚରା କରୁଛି । ମାତ୍ର ମାମଲା ରୁଜୁ କରୁନି । ଘଟଣାର ଅଡ଼ିଓ ଭାଇରାଲ ହେବା ପରେ ମାହାଙ୍ଗାର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ପୁଲିସ ଅଭିଯୁକ୍ତ ଶରତଙ୍କୁ ଥାନାକୁ ଡକାଇ ଘଂଟାଏ ଜେରା କରିଛି । ଶରତଙ୍କ ମୋବାଇଲ ହଜିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।
ଅତୀତରେ ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ପ୍ରଶାନ୍ତ ନନ୍ଦଙ୍କୁ କ୍ୟାବିନେଟରୁ ବାହାର କରି ନବୀନ ବାବୁ ରାଜ୍ୟବାସୀଙ୍କ ବାହାବା ସାଉଁଟିଥିଲେ । ମାତ୍ର ଏବେ କମ୍ବଳଟା ସାରା ଲୋମ ସାଲୁବାଲୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସବୁ ଅଭିଯୁକ୍ତଙ୍କୁ ଅଭୟ ପ୍ରଦାନ କରିବାକୁ ବାଧ୍ୟ ହୋଇଛନ୍ତି ।