ଏସିଆ କପ୍‌: ଟିମ ଇଣ୍ଡିଆର ୭ ଜଣ ଖେଳାଳିଙ୍କ ବୟସ ୩୦ରୁ ଅଧିକ

ନୂଆଦିଲ୍ଲୀ: ଏସିଆ କପ୍‌ ପାଇଁ ଟିମ ଇଣ୍ଡିଆ ଖେଳାଳିଙ୍କ ନାମ ଘୋଷିତ ହୋଇଛି । ଭାରତୀୟ ଟିମରେ ସାମିଲ ଖେଳାଳିଙ୍କ ଭିତରୁ ସର୍ବାଧିକ ବୟସ୍କ ଖେଳାଳି ଅଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ବୟସ ୩୬ ବର୍ଷ ୧୧୩ ଦିନ । ଟୁର୍ଣ୍ଣାମେଂଟରେ ଯୋଗଦାନ କରିଥିବା ଅନ୍ୟ ଟିମଗୁଡ଼ିକ ଭିତରେ ରୋହିତଙ୍କଠାରୁ ଅଧିକ ବୟସ୍କ ଖେଳାଳି ହେଉଛନ୍ତି ବାଂଲାଦେଶ ଅଧିନାୟକ ସାକିବ ଅଲ ହସନ । ହସନଙ୍କ ବୟସ ୩୬ ବର୍ଷ ୧୪୧ ଦିନ । ନେପାଳର ଗୁଲଶନ ଝା’ ଷୋଡଶ ଏସିଆ କପର ସବୁଠାରୁ କମ୍‌ ବୟସର ଖେଳାଳି । ତାଙ୍କ ବୟସ ୧୭ ବର୍ଷ । ନେପାଳ ଟିମରେ ସବୁଠାରୁ ଅଧିକ ଯୁବ ଖେଳାଳି ଅଛନ୍ତି ।

ଏସିଆ କପ ପାଇଁ ଏ ଯାବତ୍‌ ଘୋଷିତ ଚାରିଟି ଟିମର ଖେଳାଳିଙ୍କ ବୟସକୁ ଅନୁଧ୍ୟାନ କଲେ ଜଣାଯାଏ, ଟିମ ଇଣ୍ଡିଆର ୭ ଜଣ ଖେଳାଳିଙ୍କ ବୟସ ୩୦ ପାର କରିସାରିଛି । ରୋହିତଙ୍କ ଛଡ଼ା ବିରାଟ କୋହଲି (୩୪ ବର୍ଷ), ରବିନ୍ଦ୍ର ଜାଡେଜା (୩୪), ସୂର୍ଯ୍ୟ କୁମାର ଯାଦବ (୩୨), ମହମ୍ମଦ ସାମି (୩୨), କେଏଲ୍‌ ରାହୁଲ (୩୧) ଓ ଶାର୍ଦ୍ଦୁଳ ଠାକୁର (୩୧)ଙ୍କ ବୟସ ୩୦ ଟପିଛି । ଟିମ୍‌ର ଯୁବ ଖେଳାଳି ତିଲକ ବର୍ମାଙ୍କ ବୟସ ମାତ୍ର ୨୦ ବର୍ଷ । ଟିମର ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ପ୍ରମୁଖ ତିନୋଟି ୟୁନିଟରେ ୩୦ରୁ ଅଧିକ ବୟସ୍କ ଖେଳାଳି ଅଛନ୍ତି ।

ପାକିସ୍ତାନ ଟିମରେ ସାମିଲ ଖେଳାଳିଙ୍କର ହାରାହାରି ବୟସ ୨୬ ବର୍ଷ । ଟିମର ଚାରିଜଣ ଖେଳାଳିଙ୍କ ବୟସ ୩୦ ଅତିକ୍ରମ କରିଛି । ସେମାନେ ହେଉଛନ୍ତି ଫଖର ଜମାନ (୩୩), ଇଫତିକାର ଅହମ୍ମଦ (୩୨), ତୈୟବ ତାହିର (୩୦) ଓ ମହମ୍ମଦ ରିଜୱାନ (୩୧) । ଟିମର ସର୍ବ କନିଷ୍ଠ ଖେଳାଳିଙ୍କ ନାମ ନସିମ ଶାହ (୨୦) । ପାକିସ୍ତାନର ସବୁ ବୋଲର ଓ ଅଲରାଉଣ୍ଡରଙ୍କ ବୟସ ୩୦ ବର୍ଷ ବୟସରୁ କମ୍‌ ।

ଖେଳାଳିଙ୍କ ହାରାହାରି ବୟସକୁ ତୁଳନା କଲେ, ତୃତୀୟରେ ବାଂଲାଦେଶ ରହିଛି । ବାଂଲାଦେଶ ଟିମରେ ସାମିଲ ଖେଳାଳିଙ୍କର ହାରାହାରି ବୟସ ୨୬ ବର୍ଷ । ଅଧିନାୟକ ସାକିବ ଅଲ ହସନ ହେଉଛନ୍ତି ଟୁର୍ଣ୍ଣାମେଂଟର ସର୍ବାଧିକ ବୟସ୍କ ଖେଳାଳି । ତାଙ୍କ ବୟସ ୩୬ ବର୍ଷ । ଟିମର ସର୍ବ କନିଷ୍ଠ ଖେଳାଳି ଶୋରିଫୁଲ ଇସଲାମଙ୍କ ବୟସ ୨୨ ବର୍ଷ । ଟିମର ଦୁଇଜଣ ଖେଳାଳିଙ୍କ ବୟସ ୩୦ ଟପିଛି ।

ଟୁର୍ଣ୍ଣାମେଂଟରେ ପ୍ରଥମ ଥର ପାଇଁ ସାମିଲ ନେପାଳ ଟିମରେ ସର୍ବାଧିକ ଯୁବ ଖେଳାଳି ଅଛନ୍ତି । ଟିମର ବୟସ୍କ ଖେଳାଳି କହିଲେ କରନ କେଶି (୩୧ ବର୍ଷ) । ଟିମର ସବୁଠାରୁ କମ୍‌ ବୟସର ଖେଳାଳି ହେଉଛନ୍ତି ୧୭ ବର୍ଷୀୟ ଗୁଲଶନ ଝା ।