କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପାଟମୁଣ୍ଡା ପଂଚାୟତ ଖଜୁରଡିହି ଗ୍ରାମରେ କଙ୍ଗାରୁକୋର୍ଟ ସଂପର୍କରେ ସୂଚନା ମିଳିଛି । ପରକୀୟା ପ୍ରୀତିକୁ କେନ୍ଦ୍ର କରି କିଛି ଗ୍ରାମବାସୀ ଜଣେ ଶିକ୍ଷକଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି । ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ମୁତାବକ; ଖଜୁରଡିହି ସେବାଶ୍ରମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ସେବକ ରହିତ କୁମାର ରାୟଙ୍କୁ ବିଦ୍ୟାଳୟ ପରିସର ବାହାରେ କିଛି ମହିଳା ଓ ପୁରୁଷ ମାଡ ମାରିବା ସହ ଜୋତାମାଳ ପିନ୍ଧାଇ ଗ୍ରାମ ପରିକ୍ରମା କରାଇଥିଲେ ।
ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ପାଟମୁଣ୍ଡିଙ୍କ ବୟାନ ଅନୁଯାୟୀ ଶିକ୍ଷକ ଜଣଙ୍କ ପର ଝିଅ ଓ ସ୍ତ୍ରୀଙ୍କୁ ଅସଦାଚରଣ କରି ଆସୁଥିଲେ । ଏପରିକି ସେବାଶ୍ରମରେ ନିୟୋଜିତ ରୋଷେୟାଙ୍କ ସହ ଦୀର୍ଘ ମାସ ଧରି ଖରାପ ସମ୍ପର୍କ ରଖି ଜଣକ ଘର ସଂସାର ଭାଙ୍ଗି ସ୍ୱାମୀ ଓ ତିନି ଝିଅଙ୍କଠାରୁ ଅଲଗା କରିଦେଲେ ବୋଲି ଅଭିଯୋଗ ହୋଇଛି । ସେତିକିରେ ମନ ବୁୁଝିଲାନି ପୁଣି ସ୍ୱାମୀଙ୍କୁ ମାରିବାକୁ ଖୋଲା ଧମକ ଦେଇଥିଲେ । ସେହି ରାଗରେ ଗାଁ ଲୋକେ ଏମିତି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ।