ସାତଶୋଳ ଗ୍ରାମରେ ଆଦିବାସୀ ରୀତିନୀତି ଅନୁସାରେ ପାଳନ ହେଲା ବାନ୍ଦାଣା ପର୍ବ

କେନ୍ଦୁଝର : ଆଲୋକର ପର୍ବ ଦୀପାବଳୀ ବା କାଳୀପୂଜା କୁ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଓ ମାହତ ସମ୍ପ୍ରଦାୟର ଲୋକେ ବାନ୍ଦଣା ପର୍ବ ଭାବରେ ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ଠିକ୍ ସେହିପରି ଆଜି ବୁଧବାର ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର ସାତଶୋଳ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଲୋକେ ତାଙ୍କ ରୀତିନୀତି ଅନୁଯାୟୀ ବାନ୍ଦାଣା ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି।

ସୋମବାର ଅପରାହ୍ନରେ ପ୍ରଥମେ ଗାଁ ର ମାଝୀ ବାବା ଗ୍ରାମବାସୀଙ୍କ ସହିତ ଏକ ପଡ଼ିଆ ଠାରେ ଗୋଠ ପୂଜା କରିଥିଲେ ତାପରେ ଗୁହାଳ ପୂଜା ହୋଇଥାଏ। ତୃତୀୟ ଦିନରେ ଅର୍ଥାତ୍ ଆଜି ବୁଧବାର ଅପରାହ୍ନରେ ଆଦିବାସୀ ସମ୍ପ୍ରଦାୟର ଝିଅ ବୋହୁ ମାନେ ନୂଆ ବସ୍ତ୍ର ପିନ୍ଧି ପ୍ରଥମେ ଗୋ ବନ୍ଦାଣ କରିଥାନ୍ତି ତାପରେ ସେହି ଗୋରୁଙ୍କ ଦେହରେ ନାନାପ୍ରକାର ରଙ୍ଗବେରଙ୍ଗ ରେ ସଜାଇ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧି ଗ୍ରାମ ବାସୀ ଓ ଆଖପାଖ ଅଞ୍ଚଳରୁ ଆସିଥିବା ଭାଇ ବନ୍ଧୁ ମିଶି ଢ଼ୋଲ୍ ମାଦଳର ତାଳେ ତାଳେ ଗୋରୁ ମାନଙ୍କୁ ଗୀତ ଗାଇ ନଚାଇଥିଲେ।

ଏହାକୁ ଗୋରୁ ଖୁଣ୍ଟା ବୋଲି ମଧ୍ୟ କୁହାଯାଏ। ଏହି ଗୋରୁ ଖୁଣ୍ଟା ସରିଲା ପରେ ସନ୍ଧ୍ୟା ସମୟରେ ମନୋରଞ୍ଜନ କରିବା ପାଇଁ ଆଦିବାସୀଙ୍କ ସାଂସ୍କୃତିକ ନାଚ ଓ ସଙ୍ଗୀତ ର ଆସର ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଉତ୍ସବକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଦର୍ଶକ ସାତଶୋଳ ଗ୍ରାମରେ ଆସି ପହଞ୍ଚିଥିଲେ। ବିଗତ ଦୁଇ ବର୍ଷ ପରେ ଏହି ବାନ୍ଦଣା ପର୍ବ ପାଳନ ହେଉଥିବାରୁ ସମସ୍ତଙ୍କର ମୁଖମଣ୍ଡଳରେ ହସର ଲହରୀ ଦେଖିବାକୁ ମିଳିଥିଲା।