କେନ୍ଦୁଝର ଜନାର୍ଦ୍ଦନପୁରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଆୟୋଜିତ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଆଜି ମେରୀ ମାଟି ମେରା ଦେଶ ଅଭିଯାନ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦେଶ ପାଇଁ ସହିଦ ହୋଇଥିବା ବୀରମାନଙ୍କର ସ୍ମୃତିଚାରଣ କରାଯାଇଥିଲା ।

କେନ୍ଦୁଝର ସଦର ବ୍ଲକ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିସହିତ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ଦେଶପ୍ରେମୀ ଜନସାଧାରଣ ଏବଂ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ।