ଆଜିଠାରୁ ଖଣ୍ଡଗିରି ମେଳା ଆରମ୍ଭ

ଦୁଲୁକିବ ଯାତ୍ରା ପେଣ୍ଡାଲ ….

ଭୁବନେଶ୍ୱର : ମାଘ ସପ୍ତମୀ ଅବସରରେ ଖଣ୍ଡଗିରି ଏବଂ ଉଦୟଗିରି ପାଦଦେଶରେ ଶନିବାରଠାରୁ ଖଣ୍ଡଗିରି ମେଳା ଅନୁଷ୍ଠିତ ହେଉଛି । ଏଥିପାଇଁ ଦେଶ ତଥା ରାଜ୍ୟର ଦୂରଦୂରାନ୍ତରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ପହଞ୍ଚିଛନ୍ତି । ବିଭିନ୍ନ ମୁଦ୍ରା​ରେ ସେମାନେ ଧ୍ୟାନ କରୁଛନ୍ତି । ଧୂନୀ ସ୍ଥାପନ କରି, ଦୀପ ଜଳାଇ ସାଧୁ ସନ୍ଥମାନେ ଧ୍ୟାନ ମଗ୍ନ ଅଛନ୍ତି । ବିଭିନ୍ନ ସ୍ଥାନରୁ ନାଗା ସାଧୁମାନେ ମଧ୍ୟ ଆସି ପହଞ୍ଚିବାରେ ଲାଗିଛନ୍ତି। ଅଖଣ୍ଡ ନାମ ଯଜ୍ଞରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି।

୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳା ସକାଶେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଚଳିତ ଥର ଯାତ୍ରା ପ୍ରଦର୍ଶନ ପାଇଁ ଅପେରା ପାର୍ଟିକୁ ଅନୁମତି ଦିଆଯାଇଛି । ୬ଟି ପଡ଼ିଆରେ ଯାତ୍ର ପେଣ୍ଡାଲ ବନ୍ଧା ଯାଇଛି । ତେବେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଜାରି କରାଯାଇଛି । ପାର୍କିଂ ପାଇଁ ୩ଟି ସ୍ୱତନ୍ତ୍ର ପଡିଆ ଚିହ୍ନଟ କରାଯାଇଛି । ମେଳା ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଗ୍ନିକାଣ୍ଡ ଓ ଦଳାଚକଟା ଭଳି ଅଘଟଣକୁ ରୋକିବାକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା ସହ ସ୍ୱଛତା ଓ ପରିମଳ ଉପରେ ଧ୍ୟାନ ଦେବାକୁ ଯାତ୍ରା କମିଟିକୁ  କୁହାଯାଇଛି।