ନିଶା ନିବାରଣ ଆଇନି ଲାଗୁ କରିବାକୁ ଦାବି

ମିଳିତ ଓଡ଼ିଶା ନିଶା ନିବାରଣ….

ଜଟଣୀ : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ,ଜଟଣୀ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ନିଶା ନିବାରଣ ପାଇଁ ସତ୍ୟଗ୍ରହ କରାଯାଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରେ କର୍ମକର୍ତ୍ତାମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ନବକୃଷ୍ଣ ଚୌଧୁରୀଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ଏକ ଓଡ଼ିଶା ସରକାରଙ୍କୁ ଦାବି ପତ୍ର ଦେବାକୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା।

ଅନୁଷ୍ଠିତ ସଭାରେ ବକ୍ତାମାନେ ରାଜ୍ୟ ସରକାରଙ୍କୁ ସୂଚାଇ ଦେଇଥିଲେ କି ନିର୍ବାଚନ ଇସ୍ତାହାରରେ ମୋହନ ସରକାର ମଦ ବନ୍ଦ କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ଲାଗୁ କରିବାକୁ ଆଗେଇ ଆସିବା ଦରକାର। କିନ୍ତୁ ସେପରି କିଛି କାର୍ଯ୍ୟ ନ କରି ମଦ ଦୋକାନ ଖୋଲିବାର ଇଚ୍ଛାରୁ ନିବୃତ ହେବା ପରି ଜଣାପଡ଼ୁନାହିଁ। ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ନିଶା ନିବାରଣ ନିମନ୍ତେ ଯେଉଁ ଆଇନି ପ୍ରଣୟନ କରି ଯାଇଛନ୍ତି ତାକୁ ସରକାର କାହିଁକି ଲାଗୁ କରୁନାହାନ୍ତି ତାର ନିନ୍ଦା କରିବା ସହ ତୁରନ୍ତ ନିଶା ନିବାରଣ ଆଇନି ଲାଗୁ କରିବାକୁ ଦୃଢ ଦାବି କରିଥିଲେ। ଆୟୋଜିତ ସତ୍ୟାଗ୍ରହ ରେ ଅର୍ଜୁନ ଚରଣ ସାମନ୍ତରାୟ, ପ୍ରହଲ୍ଲାଦ ସ୍ୱାଇଁ, ଚଞ୍ଚଳା ଜେନା, ସେକ ସରିଫି, ହଟକିଶୋର ଭୋଳ, ଶରତ ଚନ୍ଦ୍ର ଦାଶ, ଗଦାଧର ସାମନ୍ତରାୟ ଓ ସଚ୍ଚିଦାନନ୍ଦ ପଟ୍ଟନାୟକ ପ୍ରମୁଖ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ। ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ।