ନାଳ କବଳରେ କୋରଡକଂଟା ଗହିରୀ ବାସିନ୍ଦା, ବିଧାୟକ ବାବୁ ସିଂଙ୍କ ଶୁଭଦୃଷ୍ଟିକୁ ଅପେକ୍ଷା
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ପ୍ରବଳ ବର୍ଷା କାରଣରୁ କୋରଡକଂଟା ଗହିରରେ ଅକାତକାତ ପାଣି । ଗହିରରେ ଜମି କିଣି ଘର ବନାଇ ବସବାସ କରୁଥିବା ପରିବାରଙ୍କ ହିନସ୍ତା କହିଲେ ସରିବନି । ଗହିର ଭିତର ଦେଇ ଯାଇଥିବା ନାଳ ଉପରେ କଲଭର୍ଟଟିଏ ପକାଇ ଲୋକମାନେ ଚଳପ୍ରଚଳ କରୁଥିଲେ । ମାତ୍ର ଲଗାଣ ବର୍ଷାରେ ଉକ୍ତ କଲଭର୍ଟଟି ଭାସିଗଲା । ଗହିର ଭିତରେ ବସବାସ କରୁଥିବା ଲୋକଙ୍କ ଗମନାଗମନ ବନ୍ଦ ହୋଇଗଲା ।
ବିଶେଷ କରି ୩୧୬ ନମ୍ବର ଜାତୀୟ ରାଜପଥରୁ ରାଧାଶ୍ୟାମ କଲ୍ୟାଣ ମଣ୍ଡପ ଆଡକୁ ଗଡ଼ିଥିବା ରାସ୍ତା ଉପରେ ନିର୍ଭରଶୀଳ ୩୦୦ରୁ ଅଧିକ ପରିବାରଙ୍କ ଦୈନନ୍ଦିନ ଯାତାୟତ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି । ଦୀର୍ଘ ୧୦ ଦିନ ଧରି ଯାତାୟତ ଜନିତ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା ଦେଖିବା ପାଇଁ ସଂପୃକ୍ତ ଅଂଚଳର ଲୋକପ୍ରତିନିଧିମାନେ ଉଚିତ ମଣୁନାହାନ୍ତି ।
କୋରଡକଂଟା ଗହିର ବାସିନ୍ଦା ବିଭିନ୍ନ ଆଳରେ ସରକାରଙ୍କ ତହବିଲକୁ ଟିକସ ପଇଠ କରୁଛନ୍ତି । ମାତ୍ର ସରକାରଙ୍କ ଶୁଭଦୃଷ୍ଟି ସେମାନଙ୍କ ଉପରେ ନପଡ଼ିବା ଅତ୍ୟନ୍ତ ପରିତାପର ବିଷୟ । ବିରୋଧୀ ଆସନରେ ବସି ବିଜେଡି ସରକାରଙ୍କ ଅପରିଣାମ ଦର୍ଶିତାକୁ ତୀବ୍ର ସମାଲୋଚନା କରୁଥିବା ବିଜେପି ଏବେ କ୍ଷମତା ଉପଭୋଗ କରୁଛି । କିନ୍ତୁ ବିଜେଡି ସରକାର ଭଳି ଲୋକଙ୍କ ଦୁଃଖଯନ୍ତ୍ରଣା ଦେଖି ଆଖି ବୁଜିଦେଉଛି ବୋଲି ଲୋକଙ୍କ ମୁଖରୁ ଶୁଣିବାକୁ ପାଉଛୁ ।
କୋରଡକଂଟା ଗହିର ଭିତରେ ବସବାସ କରୁଥିବା ଭୋଟରଙ୍କୁ ଯାତାୟତ କଷ୍ଟରୁ ଲାଘବ କରିବା ବିଧାୟକ ବାବୁ ସିଂଙ୍କ ବାମହାତର ଖେଳ ବୋଲି ଆମେ ଶୁଣିବାକୁ ପାଉଛୁ । ଇତିମଧ୍ୟରେ କୋରଡକଂଟା ଗହିରାଂଚଳରୁ କିଛି ମୁରବି ବାବୁ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦେଖାଯାଉ, ସେମାନଙ୍କ ପ୍ରତି ବିଧାୟକଙ୍କର କରୁଣା ଦୃଷ୍ଟି ପଡୁପଡୁ କେତେଦିନ ଯାଉଛି ।
ସବୁଠାରୁ ବଡ଼ ଦୁର୍ଦ୍ଦଶା ହେଉଛି, ସକାଳ ହେବା ମାତ୍ରେ କୁନିକୁନି ପିଲାଙ୍କ ସ୍କୁଲ ଯାତାୟତ ଯନ୍ତ୍ରଣା ।