ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ କାରଣରୁ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଭିନ୍ନ ୱାର୍ଣ୍ଣିଂ କରିଛନ୍ତି ।
ରବିବାର ସକାଳେ କେତୋଟି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଯାଇଛି । ଲଘୁଚାପ ପ୍ରଭାବରେ ସମୁଦ୍ର କ୍ରମେ ୫.୮ କିମି ଫୁଲିବାର ଆଶଙ୍କା ରହିଛି । ଲଘୁଚାପଜନିତ ବର୍ଷା ସମୟରେ ସମୁଦ୍ର ଜୁଆରିଆ ରହୁଥିବା କାରଣରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଅବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ନୟାଗଡ଼ ଓ ବୌଦ୍ଧର ଗୋଟିଏ ଅବା ଦୁଇଟି ସ୍ଥାନରେ ତୁହାକୁ ତୁହା ପବନ, ଘଡ଼ଘଡ଼ି ଓ ବିଜୁଳି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।