ଓଡ଼ିଶାରେ ମାଓବାଦୀ ସମୂଳେ ସଫା

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲ …

ଭୁବନେଶ୍ୱର: ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲ ବା ମାଓବାଦୀ ସଂଗଠନକୁ ମୂଳପୋଛ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏହି ଘୋଷଣା ଆଜି ପୂର୍ଣ୍ଣ ହୋଇଛି। ଯଦିଓ ଓଡିଶାର କନ୍ଧମାଳ ସମେତ ଦେଶର କେତେକ ସ୍ଥାନରେ ନକ୍ସଲ ସକ୍ରିୟ ଅଛନ୍ତି, ତଥାପି ମୋଟାମୋଟି ଭାବେ ଗତ ୬ ଦଶନ୍ଧୀ ଧରି ଚାଲିଥିବା ନକ୍ସଲ ଆତଙ୍କ ଶେଷ ହୋଇଛି।

ଏହି ସଫଳତା ପଛରେ ନକ୍ସଲ ସଂଗଠନ ବିରୋଧରେ ଓଡିଶା ପୁଲିସର ଯୋଗଦାନ ନିଶ୍ଚିତ ଭାବେ ଉଲ୍ଲେଖନୀୟ। ରାଜ୍ୟରେ ୨୦୧୨ ବେଳକୁ ମାଓବାଦୀ କାର୍ଯ୍ୟକଳାପ ଶୀର୍ଷରେ ପହଞ୍ଚିଥିଲା। ରାଜ୍ୟର ୨୧ଟି ଜିଲ୍ଲା ରାଜ୍ୟ ମାଓବାଦୀ ଅଧ୍ୟୁଷିତ ଭାବେ ଘୋଷିତ ହୋଇଥିଲା। ଓଡିଶା ପୁଲିସର କ୍ରମାଗତ ଉଦ୍ୟମ ଫଳରେ ୨୦୨୫ ବେଳକୁ ସଂଗଠନର କାର୍ଯ୍ୟକଳାପ ୯ଟି ଜିଲ୍ଲାରେ ସମୀତ ହୋଇଥିଲା।

୨୦୨୫ରେ ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ନୂଆପଡା, ନବରଙ୍ଗପୁର, ରାୟଗଡା ଓ କଳାହାଣ୍ଡରୁ ସମ୍ପୂର୍ଣ୍ଣ ଭାବେ ନକ୍ସଲ ସଂଗଠନ ମୂଳପୋଛ ହୋଇଯାଇଥିଲେ। ନକ୍ସଲ ସଂଗଠନ ନିମନ୍ତେ ଓଡିଶାରୁ କ୍ୟାଡର ସଂଗ୍ରହ ବନ୍ଦ ହୋଇଯାଇଥିଲା। ଗ୍ରାମାଂଚଳର ଲୋକମାନେ ସଂଗଠନକୁ ସମର୍ଥନ ଦେବା ବନ୍ଦ କରିଦେଇଥିଲେ। ୨୦୨୫-୨୬ ବର୍ଷରେ ଗାର୍ଜ୍ୟାବନ୍ଧ ଠାରେଓଡିଶା ପୁଲିସର ନକ୍ସଲ ବିରୋଧୀ ଅଭିଯାନରେ ୧୭ଜଣ ନକ୍ସଲଙ୍କ ପ୍ରାଣହାନୀ ଘଟିଥିଲା। ଏହି ବର୍ଷ ୨ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ସମେତ ୨୭ଜଣ ମାଓବାଦୀ ନିହତ ହୋଇଥିଲେ।
୯ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୪ ରାଜ୍ୟ କମିଟି ସଦସ୍ୟଙ୍କ ସମେତ ୭୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଓଡିଶାରେ ସକ୍ରିୟ ଥିବା ୨ଜଣ ରାଜ୍ୟ କମିଟି ସଦସ୍ୟଙ୍କ ସମେତ ୪୨ଜଣ ମାଓବାଦୀ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମୋଟାମୋଟି ଭାବେ ୨୦୨୫ ଓ ୨୦୨୬ରେ ୧୫୬ ମାଓବାଦୀଙ୍କୁ ମାଓବାଦୀ ବ୍ୟବସ୍ଥାରୁ ମୁକୁଳାଇ ଅଣାଯାଇଛି। ଏହା ମଧ୍ୟରେ ୨୭ଜଣ ମାଓବାଦୀ ନିହତ ହୋଇଛନ୍ତି, ୯ଜଣ ଗିରଫ ହୋଇଛନ୍ତି ଓ ୧୨୦ଜଣ ଆତ୍ମସମର୍ପଣ କରିଛନ୍ତି।

ଏହି ସଫଳତା ପଛରେ ଓଡିଶା ପୁଲିସର ଯବାନଙ୍କ ସମେତ ଏସ୍‌ଓଜି, ଡିଭିଏଫ୍‌, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌ ଓ ଏସ୍‌ଆଇଡବ୍ଲ୍ୟୁ ସହାୟତା ଅତୁଳନୀୟ ବୋଲି ନକ୍ସଲ ବିରୋଧୀ ଅଭିଯାନର ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

ନକ୍ସଲ ବିରୋଧୀ ଅଭିଯାନରେ ୨୩୯ଜଣ ସୁରକ୍ଷା କର୍ମୀଙ୍କ ନିଧନ ହୋଇଛି। ଏହା ମଧ୍ୟରୁ ୧୪୨ଜଣ ଓଡିଶା ପୁଲିସର ଯବାନ, ୨୫ଜଣ ସିଆର୍‌ପିଏଫ୍‌, ୩୮ ଆନ୍ଧ୍ରପ୍ରଦେଶ ପୁଲିସ, ୧୦ ସିଆଇଏସ୍‌ଏଫ୍‌, ୯ ଜଣ ଛତିଶଗଡ ପୁଲିସ ଅଛନ୍ତି। ଏହାସହ ମାଓବାଦୀଙ୍କ ଆକ୍ରମଣରେ ୩୫୯ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି।
ଏହି ଦୁଇ ବର୍ଷ ମଧ୍ୟରେ (୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା) ୧୩୪ଟି ଅସ୍ତ୍ରଶସ୍ତ୍ର, ୭ଟି ଏକେ ୪୭ ରାଇଫଲ୍‌, ୧୧ଟି ଇନ୍‌ସାସ୍‌ ରାଇଫଲ୍‌, ୨୪ଟି ଏସ୍‌ଏଲ୍‌ଆର୍‌, ୨ଟି କାର୍ବାଇନ୍‌, ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ୧୨ଟି ୩୦୩ ରାଇଫଲ୍‌ ଓ ୭୭ଟି ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି।
ବର୍ତମାନ ଓଡିଶାରେ ସକ୍ରିୟ ଥିବା ୮-୯ଜଣ ମାଓବାଦୀଙ୍କୁ ଆତ୍ମସମର୍ପଣର ସୁଯୋଗ ଦିଆଯାଇଥିଲା। ଏହି ସମୟସୀମା ଶେଷ ହୋଇଛି। ବର୍ତମାନ ସେମାନଙ୍କୁ ଖୋଜି ହତ୍ୟା କରିବା ସମୟ ଆସିଯାଇଛି ବୋଲି ଏଡିଜି କହିଛନ୍ତି।

ଆଜିଠାରୁ ୨ ବର୍ଷ ଯାଏଁ ମାଓବାଦୀ ବିରୋଧୀ ଅଭଯାନରେ ରାଜ୍ୟରେ ଯବାନମାନଙ୍କୁ ମୁତୟନ କରାଯିବ। ରାଜ୍ୟରେ ପୁନର୍ବାର ମାଓବାଦୀମାନେ ନିଜର ସଂଗଠନ ଯେପରି ଗଠନ କରିନପାରନ୍ତି ସେନେଇ ସତର୍କ ଦୃଷ୍ଟି ରଖିବେ।