ବାରିପଦା(ସାକ୍ସୀ ନ୍ୟୁଜ୍): ଅବସର ଦିନରୁ ହିଁ ପେନସନ୍ ପ୍ରଦାନ କରି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଚାକିରିର ଶେଷ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ,ମୟୂରଭଞ୍ଜଙ୍କ କାର୍ଯ୍ୟାଳୟରେ ଅବସରଗ୍ରହଣ କରୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ପେନସନ୍ ପ୍ରଦାନ କରାଯାଇଛି ।
ଏହି ଅବସରରେ ଭୁରୁଙ୍ଗାଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଏସଇଏସ ପ୍ରଧାନଶିକ୍ଷକ ସଦାଶିବ ନାୟକ, ଖୁଣ୍ଟାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ କୁମାର ଘରାଇ, ବିଏନ ସରକାରୀ ଉଚ୍ଚ ବିଦ୍ୟାଳୟ, ପଳାସମୁଣ୍ଡଳୀର ପିଇଟି ପ୍ରଦୀପ କୁମାର ଦାସ, ଏବଂ ଅନ୍ୟ ଅବସରପ୍ରାପ୍ତ କର୍ମଚାରୀ ନରେନ୍ଦ୍ର ମୋହନ ରାଉତ, ପିଅନ୍, ଏଲବି ସରକାରୀ ଉଚ୍ଚ ବିଦ୍ୟାଳୟ, ନୁନ୍ଦଡିହା, ବସନ୍ତ କୁମାର ଧଳ, କନିଷ୍ଠ କିରାଣୀ, ଧାଟକିଆ ଉଚ୍ଚ ବିଦ୍ୟାଳୟ ଓ କୁଞ୍ଜଲତା ବିଶୋଇ,ପିଅନ୍, ଶରତଚନ୍ଦ୍ର ବିଦ୍ୟାପୀଠ, ବାରିପଦାଙ୍କୁ ପେନସନ୍ ପ୍ରଦାନ କରାଯାଇଥିଲା ।
ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନେ ଦୀର୍ଘବର୍ଷ ଧରି ଶିକ୍ଷା ବିଭାଗରେ ନିଷ୍ଠାର ସହ ସେବା ପ୍ରଦାନ କରିଥିବାରୁ ଅବସର ଦିନରେ ହିଁ ସେମାନଙ୍କ ପେନସନ୍ ସୁନିଶ୍ଚିତ କରାଯିବା ପଦକ୍ଷେପକୁ ସ୍ୱାଗତ କରାଯାଇଛି। ଏହା ଦ୍ୱାରା ଅବସର ପରବର୍ତ୍ତୀ ଆର୍ଥିକ ସୁରକ୍ଷା ଓ ସମ୍ମାନଜନକ ଜୀବନଯାପନ ପ୍ରତି ପ୍ରଶାସନର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି ।