ଚିଲିକା ନଳବଣ ପକ୍ଷୀ ଅଭୟାରଣ୍ୟ ସହ ଭାରତରେ ରାଜସ୍ଥାନର କେଓଲାଦେଓ ଜାତୀୟ ଉଦ୍ୟାନ, ତାମିଲନାଡୁର ପଏଂଟ କ୍ୟାଲିମେର୍ ବନ୍ୟପ୍ରାଣୀ ଅଭୟାରଣ୍ୟ, ଗୁଜରାଟର ନଳ ସରୋବର ପକ୍ଷୀ ଅଭୟାରଣ୍ୟ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ସୀମାର ପୁଲିକଟ୍ ହ୍ରଦ ଆଦିରେ ଏସୀୟ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଏକ ସମୟରେ ଜାନୁଆରୀ ମାସରେ କରାଯାଏ । ଏହି ପକ୍ଷୀ ଗଣନା ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ, ପଶ୍ଚିମ ଏସିଆ ଏବଂ ଅଷ୍ଟ୍ରେଲିଆ ଅର୍ଥାତ୍ ପ୍ରଶାନ୍ତ ମହାସାଗରର ଚତୁଃପାଶ୍ୱର୍କୁ ନେଇ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଅଂଚଳ ମଧ୍ୟରେ “ୱେଟଲ୍ୟାଣ୍ଡ ଇଂଟର ନେସନାଲ’ ସଂସ୍ଥା ଦ୍ୱାରା ସମନ୍ୱିତ ରକ୍ଷା କରି ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରାହୁଏ। ସବୁଠୁଁ ମଜାଦାର କଥା ହେଲା, ପକ୍ଷୀମାନେ ଏକ ସମୟରେ ପ୍ରତ୍ୟେକ ବର୍ଷ ଅଦ୍ଭୁତ ସଠିକତା ସହିତ ମହାଦେଶୀୟ ପ୍ରବାସ ସମ୍ପନ୍ନ କରନ୍ତି।
ତାଙ୍କର ଏହି ଯାତ୍ରା ମହାସାଗର, ମରୁଭୂମି, ପାହାଡ ପର୍ବତ ଏବଂ ରାଜନୈତିକ ସରହଦ ବିନା ବିଶ୍ରାମ ତଥା ବିନା ପୂର୍ବ ଅଭିଜ୍ଞତା ସତ୍ୱେ ମଧ୍ୟ ସମ୍ଭବ ହୁଏ। ନୂଆ ଶାବକ ପକ୍ଷୀ ମଧ୍ୟ କେବେ ଦେଖି ନଥିବା ଦୂରାନ୍ତ ସ୍ଥାନକୁ ତଥା ପ୍ରାପ୍ତ ବୟସ୍କ ପକ୍ଷୀମାନେ ପୂର୍ବ ପ୍ରଜନନ ନଦୀ/ପାହାଡ ଧାରରେ, ସମାନ ଆର୍ଦ୍ରଭୂମିରେ କିମ୍ବା ଜଙ୍ଗଲ ଅଂଚଳରେ ବର୍ଷ ବର୍ଷ ଧରି ସେହି ଏକା ପୂର୍ବ ବାସସ୍ଥାନରେ ଆସି ପହଂଚିଯାନ୍ତି। ଅଦ୍ଭୁତ କଥା ହେଉଛି, ମନୁଷ୍ୟକୃତ ଆଜିକାର କୃତ୍ରିମ ଉପଗ୍ରହ ଠାରୁ କାହିଁ କେତେ ପୁରାତନ ଦିଗ ଓ ଦୂରତା ନିର୍ଦ୍ଧାରଣ ପକ୍ଷୀଙ୍କ ମଧ୍ୟରେ ଥିବା ଜୈବିକ ଅଂଶ ଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ ।
କିନ୍ତୁ କେମିତି? ଗ୍ରୀଷ୍ମଋତୁରେ ଉତର ଗୋଲାର୍ଦ୍ଧରେ ପ୍ରଚୁର ଖାଦ୍ୟ ମିଳିଥାଏ ଏବଂ ଦିନ ଦୀର୍ଘ ହୁଏ, କିନ୍ତୁ ଶୀତରେ ସେମାନଙ୍କ ପାଇଁ କଷ୍ଟଦାୟକ ହୋଇଥାଏ। ବିଷୁବ ଅଂଚଳରେ ଯଦିଓ ଥଣ୍ଡା ଓ ଗରମ ଉଭୟ ଏକା ଭଳି, ସେମାନଙ୍କ ପ୍ରଜନନ ସମୟରେ ଅପେକ୍ଷାକୃତ ଅଧିକ ଖାଦ୍ୟର ଆବଶ୍ୟକତା ତାଙ୍କ ପାଇଁ ଉପଯୋଗୀ ହୁଏନାହିଁ। ତେଣୁ ପ୍ରଜନନ ସମୟରେ ପକ୍ଷୀମାନଙ୍କ ଖାଦ୍ୟର ଉପଲବ୍ଧିତାର ସ୍ଥାନ ତାଙ୍କର ପ୍ରବାସ ପାଇଁ ଗୋଟିଏ ପ୍ରମୁଖ କାରଣ ହୋଇଥାଏ। ଅଧିକାଂଶ ପକ୍ଷୀ ଜନ୍ମ ସମୟ ହିଁ ଜିନ୍ ସ୍ତରରେ ପ୍ରବାସର ଦିଗ ଓ ଦୂରତାର ଛାପ ସଂଚିଥାନ୍ତି।
ପରୀକ୍ଷାରୁ ଜଣାପଡିଛି ଯେ, ନୂଆ ସଦସ୍ୟମାନେ ବୟସ୍କ ପକ୍ଷୀମାନଙ୍କ ବିନା ଉପସ୍ଥିତିରେ ଉଚିତ ଦିଗରେ ଉଚିତ ଦୂରତା ପର୍ଯ୍ୟନ୍ତ ନିଜକୁ ମଧ୍ୟ ନେଇପାରନ୍ତି। ଏହାର ଅର୍ଥ ନୁହେଁ ଯେ, ସେମାନେ ମନଇଚ୍ଛା ମାଡିଯାଆନ୍ତି। ଜିନ୍ ସ୍ତରର ଛାପ ତାଙ୍କୁ ମୋଟାମୋଟି ପ୍ରବାସ ରୂପରେଖ ଦେବାକୁ ସହାୟକ ହୁଏ, କିନ୍ତୁ ପରିବେଶୀୟ ଉପାଦାନ ସମୂହ ସେମାନଙ୍କୁ ସୂକ୍ଷ୍ମ ସ୍ତରରେ ଖାପ ଖୁଆଇବାକୁ ଖୋରାକ ଯୋଗାଏ । ଦୀର୍ଘଜୀବୀ ପକ୍ଷୀଙ୍କ କ୍ଷେତ୍ରରେ ଅନେକ ବର୍ଷର ଅଭିଜ୍ଞତା ଏହି ଅନ୍ତର୍ନିହିତ ଛାପ ପାଇଁ ମଧ୍ୟ ପରିପୂରକ ହୋଇଥାଏ । ଜନ୍ମ ସମୟର ଛାପ ଏବଂ ପ୍ରକୃତି ସହ ତାରତମ୍ୟ ହିଁ ଗୋଟିଏ ଯୋଗ୍ୟ ପ୍ରବାସୀ ପକ୍ଷୀକୁ ତିଆରି କରେ । ପକ୍ଷୀଟିଏ ଦିନବେଳା ଆକାଶରେ ସୂର୍ଯ୍ୟଙ୍କ ଉପସ୍ଥିତି ଏବଂ ଏହାର ଗତିବିଧି ଅନୁଯାୟୀ ନିଜ ଶରୀରର ତାରତମ୍ୟକୁ ରକ୍ଷାକରି ଆଗକୁ ବଢେ଼। ଯଦି ସୂର୍ଯ୍ୟ ନଥାନ୍ତି ତେବେ ଧୃବୀୟ କିରଣକୁ ମଧ୍ୟ ବ୍ୟବହାର କରନ୍ତି।
ସେହିପରି ରାତିରେ ତାରାମାନଙ୍କ ଉପସ୍ଥିତି, ସେମାନଙ୍କ ସଜେଇ ହୋଇଥିବା ଢାଂଚାକୁ ମଧ୍ୟ ପକ୍ଷୀମାନେ ଚିହ୍ନିଥାନ୍ତି। ଯଦି ସମୟ ଅନୁସାରେ ତାରାମଣ୍ଡଳମାନଙ୍କ ଏହି ଢାଂଚାର ସ୍ଥାନାନ୍ତରଣ ହୁଏ, ତେବେ ସେମାନେ ମଧ୍ୟ ଅନୁରୂପ ଭାବରେ ନିଜର ଦିଗ ବଦଳେଇଥାନ୍ତି। ଦିନରେ ସୂର୍ଯ୍ୟ ଆଉ ରାତିରେ ତାରାମଣ୍ଡଳ ପକ୍ଷୀମାନଙ୍କ ଗତିପଥକୁ ପରିପୂରକ ହୋଇଥାନ୍ତି ଏବଂ ସେମାନଙ୍କୁ ଉପଯୁକ୍ତ ଦିଗରେ ଉଚିତ ଦୂରତା ଅତିକ୍ରମ କରିବାକୁ ସଦା ସହାୟକ ହୋଇଥାନ୍ତି। ପ୍ରବାସରେ ଥିବା ପକ୍ଷୀମାନଙ୍କୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ହିଁ ପ୍ରକାରାନ୍ତରେ ସବୁଠାରୁ ବଡ ଅସ୍ତ୍ର ଭଳି କାମ କରେ। ପକ୍ଷୀମାନଙ୍କ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ର ଯଥା ଚୁମ୍ବକୀୟ ଶକ୍ତିର ଘନତା, କୋଣ ଆଉ ଦିଗ ଆଦିକୁ ପଢ଼ିବା ଶକ୍ତି ଅଛି । ଏହାଦ୍ୱାରା ସେମାନେ ନିଜର ହିତ ଦିଗରେ ତ ଯାଆନ୍ତି ତା’ ସହ ନିର୍ଦ୍ଦିଷ୍ଟ ସ୍ଥାନରେ ଅବତରଣ କରିବା ମଧ୍ୟ ସମ୍ଭବ ହୋଇଥାଏ। ପକ୍ଷୀମାନଙ୍କ ଦେହରେ ମ୍ୟାଗନେଟାଇଟ ନାମକ ଛୋଟ କ୍ରିଷ୍ଟାଲ ବା ସ୍ଫଟିକ ଥାଏ, ଯାହା ଚୁମ୍ବକୀୟ ଶକ୍ତି ପ୍ରତି କ୍ରିୟାଶୀଳ ହୁଏ। ସେମାନଙ୍କ ଚକ୍ଷୁରେ ଚୁମ୍ବକୀୟ କ୍ଷେତ୍ରକୁ ନେଇ ଆଲୋକ ସମ୍ବେଦନଶୀଳ ପ୍ରତିକ୍ରିୟା ବି ହୁଏ । ଏପରିକି ଘନ ବାଦଲ ମଧ୍ୟରେ ବା ରାତିରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଥାଏ । ଏହି ପ୍ରତିକ୍ରିୟା ପକ୍ଷୀର ସୁଦୀର୍ଘ ମହାସମୁଦ୍ର ଏବଂ ଅନ୍ୟ କୌଣସି ଭୌତିକ ବସ୍ତୁ ନଥିବା ସ୍ଥାନ ପାଇଁ ଅତି ଅନିବାର୍ଯ୍ୟ ହୋଇପଡେ।
ଉଦାହରଣ ସ୍ୱରୂପ, ବାର୍ଟଲ୍ଡ ଗଡୱିଟ୍ ବା ଧାରିଆ-ଲାଞ୍ଜ ଗଡୱିଟ୍ ପକ୍ଷୀ, ଯାହା ବିନା ବିରାମରେ ଆଲାସ୍କାରୁ ନ୍ୟୁଜିଲାଣ୍ଡ ପ୍ରାୟ ୧୧,୦୦୦ କିଲୋମିଟର ବିନା ଭୂପୃଷ୍ଠକୁ ଓହ୍ଲେଇ ଯାତ୍ରା କରିଥାଏ, ସେହି ପକ୍ଷୀମାନଙ୍କୁ ଚୁମ୍ବକୀୟ ଶକ୍ତି ହିଁ ମୁଖ୍ୟ ଭରସା । ପକ୍ଷୀମାନଙ୍କ ଶରୀରର କିଛି ବିଶେଷ ସମ୍ବେଦନଶୀଳ ତନ୍ତୁ, ବିଶେଷକରି ଥଂଟର ଉପରି ଭାଗରେ ଏବଂ ସେଥି ସଂଲଗ୍ନ ସ୍ନାୟୁ ଅଂଶରେ ଅତି ସୂକ୍ଷ୍ମ ମ୍ୟାଗନେଟାଇଟ୍ ସ୍ଫଟିକ ସ୍ଥାପିତ ଥାଆନ୍ତି ।
ଏହି ସ୍ଫଟିକଗୁଡିକ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଶାରୀରିକ ସମନ୍ୱୟ ରଖି, ତାହାର ଶକ୍ତି ଓ ଦିଗକୁ ଅନୁଭବ କରାନ୍ତି । ପକ୍ଷୀ ଯେତେବେଳେ ନିଜର ଦିଗ କିମ୍ବା ଅକ୍ଷାଂଶ ପରିବର୍ତନ କରେ, ସେତେବେଳେ ସ୍ଫଟିକ ଉପରେ କାର୍ଯ୍ୟରତ ଚୁମ୍ବକୀୟ ପ୍ରଭାବ ମଧ୍ୟ ବଦଳିଯାଏ, ଯାହା ଅତି ସୂକ୍ଷ୍ମ ସ୍ନାୟୁଜ ସଙ୍କେତ ସୃଷ୍ଟି କରେ । ଏହି ସଙ୍କେତଗୁଡିକ ମସ୍ତିଷ୍କକୁ ପହଂଚିଲା ପରେ, ଦିଗ ଓ ସ୍ଥାନ ସମ୍ବନ୍ଧୀୟ ସୂଚନାରେ ପରିଣତ ହୁଏ । ମ୍ୟାଗନେଟାଇଟ୍ ଆଧାରିତ ଏହି ପ୍ରଣାଳୀ ଅନ୍ଧାର କିମ୍ବା ମେଘାଚ୍ଛନ୍ନ ଆକାଶରେ ମଧ୍ୟ ଅବିରତ ଭାବରେ କାମ କରେ, ଫଳରେ ପକ୍ଷୀମାନେ ଅପାର ଦୂରତା ଅତିକ୍ରମ କରି ଅଦ୍ଭୁତ ସଠିକତା ଓ ବିଶ୍ୱସନୀୟତା ସହିତ ନିଜ ପ୍ରବାସ ପଥକୁ ଅନୁସରଣ କରିପାରନ୍ତି। ପ୍ରବାସ ଆରମ୍ଭ ହେବା ପୂର୍ବରୁ ପକ୍ଷୀ ଅତ୍ୟଧିକ ଖାଏ, ଯାହାଦ୍ୱାରା ଶରୀରରେ ଚର୍ବି ରହିଥାଏ, ଯାହା ଉଡିବା ସମୟରେ ଶକ୍ତି ପ୍ରଦାନ ସହ ଶରୀରକୁ ଆବଶ୍ୟକୀୟ ଉତାପ ଦେଇଥାଏ। ତା’ ସହ ପକ୍ଷୀର ମାଂସପେଶୀ ଟିକେ ବଢେ଼, ପାଚନ ତନ୍ତ୍ର ସଂକୁଚିତ ହୁଏ ଓ ରକ୍ତରେ ଅମ୍ଳଜାନ କ୍ଷମତା ବଢେ଼। ପକ୍ଷୀମାନେ ନିଜର ପ୍ରବାସ ସମୟରେ ଉଡୁଥିବା ସମୟରେ ହିଁ ମଝିରେ ମଝିରେ କ୍ଷଣ ମୁହୂର୍ତ ପାଇଁ ଶୋଇ ପଡିଥାନ୍ତି । ନୂଆ ନୂଆ ଉଡୁଥିବା ପକ୍ଷୀମାନେ ଧୀରେ ଧୀରେ ଅଭିଜ୍ଞତା ହାସଲ କରନ୍ତି ଏବଂ ଯେଉଁଠି ପକ୍ଷୀମାନେ ସାମୂହିକ ଭାବରେ ଯାଆନ୍ତି ସେଠାରେ ବୟସ୍କ ପକ୍ଷୀମାନଙ୍କୁ ସେମାନେ ଅନୁସରଣ କରନ୍ତି । ମନ ମଧ୍ୟରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ପକ୍ଷୀମାନେ କ’ଣ ଭୁଲ୍ କରନ୍ତିନି? ବାତ୍ୟା, ଜୋର୍ ପବନ ଏବଂ ଘାତକ ସେମାନଙ୍କୁ ମୂଳ ରାସ୍ତାରୁ ବିଚ୍ୟୁତ କରାଇଥାନ୍ତି । କିନ୍ତୁ ଚୁମ୍ବକୀୟ କ୍ଷେତ୍ର, ସୂର୍ଯ୍ୟ, ତାରା ଏବଂ ପୃଥିବୀର କିଛି ଚିହ୍ନ ମାଧ୍ୟମରେ ସେମାନେ ପୁନରାୟ ନିଜକୁ ଉଚିତ ମାର୍ଗରେ ସ୍ଥାପନ କରି ନେଇଥାନ୍ତି।
କେବଳ ସେତିକି ନୁହଁ, କୃତ୍ରିମ ଆଲୋକ, ସହର ମଧ୍ୟରେ କାଚଘରର ପ୍ରତିଫଳନ, ବଡ ବଡ ପବନ ଚକି ଏବଂ ପରିସଂସ୍ଥାନୀୟ କ୍ଷୟକ୍ଷତି ସେମାନଙ୍କ ମୂଳ ଯାତ୍ରା ପଥରେ ମଧ୍ୟ ବିଘ୍ନ ସୃଷ୍ଟି କରନ୍ତି । ଅଧୁନା ଏହା ମଧ୍ୟ ଦେଖାଗଲାଣି ଯେ, ପକ୍ଷୀମାନେ ସମୟ ପୂର୍ବରୁ ଅବା ସମୟର ପରେ ପ୍ରଜନନ ପାଇଁ ଆସି ତାଙ୍କର ଉପଯୁକ୍ତ ସ୍ଥାନରେ ଆସି ପହଂଚୁଛନ୍ତି। ତାଙ୍କର ଚିରାଚରିତ ମଧ୍ୟବର୍ତୀ ବିଶ୍ରାମ ସ୍ଥାନ ଯେଉଁଗୁଡିକ ତାଙ୍କୁ ପୁଣି ଶକ୍ତି ସଂଗ୍ରହ କରିବା ପାଇଁ ଉପାଦେୟ ଥିଲା ସେସବୁ ଧୀରେ ଧୀରେ ଉଭେଇ ଗଲାଣି ।
ଆଜିର ଦ୍ରୁତ ପରିବର୍ତନଶୀଳ ପୃଥିବୀ ସେମାନଙ୍କୁ ସଂଘର୍ଷ କରିବାକୁ ବାଧ୍ୟ କରୁଛି । ସୁତରାଂ, ଉପରୋକ୍ତ ସମସ୍ତ ଉପାଦାନରେ ଟିକିଏ ତାଳମେଳର ଅଭାବ, ଶେଷରେ ପକ୍ଷୀ ଜୀବନରେ ବିରାଟ ବଡ ବିପଦ ଆଣି ଦେଇପାରେ। ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଆଗକୁ ପକ୍ଷୀ ଜୀବନରେ କ’ଣ ସବୁ ଦୁର୍ବିସହ ଘଟଣା ସବୁ ଘଟିବ କେବଳ ସମୟ ହିଁ କହିବ।