ଭୁବନେଶ୍ୱର: ତାଙ୍କୁ କେହି ଅପହରଣ କରିନାହାନ୍ତି। ତାଙ୍କ ପ୍ରତି କେହି ଅସଦାଚରଣ କରିନାହାନ୍ତି। ଶିକ୍ଷୟିତ୍ରୀ ଜଣକ ତାଙ୍କ ଇଚ୍ଛାରେ ବାରିପଦା ଷ୍ଟେସନରୁ ଆସି ବାଲେଶ୍ୱର ଷ୍ଟେସନରେ ଥିଲେ। ପୁଲିସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ବାଲେଶ୍ଟର ଷ୍ଟେସନରୁ ଉଦ୍ଧାର କରିଛି। ଜନଗଣନା କାର୍ଯ୍ୟରେ ଯାଇ ନିଖୋଜ ହୋଇ ଯାଇଥିବା ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ନେଇ ମଙ୍ଗଳବାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ଦୁଇଟି ଭିଡିଓ ଜାରି କରିଛି, ଯେଉଁଥିରେ ତାଙ୍କୁ ଶେଷ ଥର ପାଇଁ ଦେଖାଯାଇଛି।
ଶେଷଥର ପାଇଁ ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ବାରିପଦା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ସିସିଟିଭି ଯାଂଚ କରିବା ପରେ ଜଣାପଡିଛି ଯେ ସେ ନିଖୋଜ ହେବା ଦିନ ବାରିପଦା ରେଳଷ୍ଟେସନ ଯାଇଥିଲେ ଏବଂ ଟ୍ରେନରେ ବସି କେଉଁଆଡେ ଚାଲି ଯାଇଛନ୍ତି।
ଜ୍ୟୋତ୍ସ୍ନା ବାରିପଦା ରେଳଷ୍ଟେସନକୁ ପ୍ରବେଶ କରିବା ବେଳର ଗୋଟିଏ ଭିଡିଓ ଏବଂ ପ୍ଲାଟଫର୍ମରେ କିଛି ସମୟ ଧରି ଠିଆ ହେବା ପରେ ବାରିପଦା-ବାଲେଶ୍ୱର ଡିଏମୟୁ ଟ୍ରେନରେ ବସିଥିବାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ହେଲେ ସେ ଏବେ କେଉଁଠି, ତାହା ଜଣାପଡିନି।
ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ପରିବାର ମଧ୍ୟ ଏହି ସିସିଟିଭି ଫୁଟେଜରୁ ତାଙ୍କୁ ଚିହ୍ନି ପାରିଥିବା ବେଳେ ସେମାନେ ନିଜ ଗାଁ ପୁରୀ ଜିଲ୍ଲା କଣାସକୁ ଫେରି ଯାଇଛନ୍ତି।
ଏହି ଭିଡିଓଗୁଡିକ ସାମ୍ନାକୁ ଆସିବା ପରେ ତାଙ୍କୁ କେହି ଅପହରଣ କରିଥିବା ବା ତାଙ୍କ ସହିତ ଆଉ କିଛି ଘଟିଥିବା ନେଇ ଯେଉଁ ସନ୍ଦେହ ଥିଲା, ତାହା ଦୂର ହୋଇଛି। ସେ ନିଜେ କେଉଁଆଡେ ଚାଲି ଯାଇଛନ୍ତି ବୋଲି ସ୍ପଷ୍ଟ ହୋଇଛି। ତେବେ କେଉଁଠାକୁ ଗଲେ ଓ କାହିଁକି ଗଲେ, ତାହା ଜଣାପଡିନି। ଅନ୍ୟପକ୍ଷରେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିନି।
ପୁରୀ ଜିଲ୍ଲା କଣାସ ଅଂଚଳର ଜ୍ୟୋତ୍ସ୍ନାରାଣୀ ସାହୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଢେଙ୍କିନାଞ୍ଜିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି। ଏପ୍ରିଲ ୧୬ ତାରିଖରୁ ସେ ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଗତ ୧୮ ତାରିଖ ଦିନ ସକାଳେ ସେ ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କ ସହ ମିଶି ସ୍କୁଲକୁ ଯାଇଥିଲେ। ହେଲେ ଦିନ ପ୍ରାୟ ୯ଟା ବେଳକୁ ଔଷଧ କିଣିବାକୁ ବାରିପଦା ଯିବେ କହି କୁଆଡେ଼ ପଳାଇଲେ ଯେ ଆଉ ତାଙ୍କର ଖୋଜ ଖବର ନ ଥିଲା।