ଭୁବନେଶ୍ୱର(ଏସ୍ ନ୍ୟୁଜ): ୨୭ ସେପ୍ଟେମ୍ବର ବିଶ୍ୱ ପର୍ଯ୍ୟଟନ ଦିବସରେ କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ତରଫରୁ ପୁରୀ, କୋଣାର୍କକୁ ସ୍ୱତନ୍ତ୍ର ଉପହାର ସ୍ୱରୂପ ମୋ ବସ୍ ସେବା ଆରମ୍ଭ ହେବ। ଏନେଇ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।
ରୁଟ୍ ନଂ – ୫୦ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ ବସ ବାହାରି ଜଗନ୍ନାଥ ଧାମ ପୁରୀ ଯିବ। ଠିକ୍ ସେହିପରି ରାଜଧାନୀ ସହିତ କୋଣାର୍କକୁ ରୁଟ୍ ନଂ – ୭୦ ସଂଯୋଗ କରିବ। ରୁଟ୍ ନଂ – ୫୦ ମାଷ୍ଟରକ୍ୟାଣ୍ଟିନ୍, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍, ମାଳତୀପାଟପୁର ଓ ପୁରୀ ବସଷ୍ଟାଣ୍ଡରେ ରହିବ । ଠିକ୍ ସେହିପରି ରୁଟ୍ – ୭୦ ସମସ୍ତ ମୁଖ୍ୟ ବସ୍ ଷ୍ଟପ ଦେଇ ଯାତ୍ରା କରିବ।

ରବିବାର ଦିନ ଗୋଟିଏ ଗୋଟିଏ ବସ ଉଭୟ ରୁଟ୍ରେ ଯିବ । ସାଧାରଣ ବସସେବା ସୋମବାରଠାରୁ ଆରମ୍ଭ ହେବ ଓ ୨ଟି ଲେଖାଏଁ ବସ୍ ପ୍ରତ୍ୟେକ ରୁଟ୍ରେ ଚାଲିବ ବୋଲି ଅରୁଣ ବୋଥ୍ରା ଜଣାଇଛନ୍ତି । ରୁଟ୍ ନଂ – ୫୦ ପାଇଁ ସର୍ବାଧିକ ୭୦ଟଙ୍କା ଏବଂ ରୁଟ୍ ନଂ – ୭୦ ପାଇଁ ୬୦ ଟଙ୍କା ଯାତ୍ରୀଭଡା ଧାର୍ଯ୍ୟ କରାଯାଇଛି। ନିର୍ଦ୍ଧାରିତ ବସଭଡାର ସଠିକ୍ ମୁଲ୍ୟ ମୁତାବକ ଖୁଚୁରା ଦେବାପାଇଁ ସେ ଅନୁରୋଧ କରିଛନ୍ତି ଏବଂ କ୍ୟୁଆର୍ କୋଡ୍ ସେବାର ଅଧିକା ବ୍ୟବହାର କରିବାକୁ ଅପିଲ କରିଛନ୍ତି। ଏହାଦ୍ୱାରା ନୋଟ୍ ଏବଂ ଖୁଚୁରାର ଆଦାନପ୍ରଦାନ ଜନିତ ଭୁତାଣୁ ସଂପ୍ରସାରଣକୁ ରୋକିହେବ ଓ ଯାତ୍ରୀ ଓ ଗାଇଡ୍ମାନେ ନିଜକୁ ସୁରକ୍ଷିତ ରଖିପାରିବେ।
ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ର ଭାବେ ବିଶ୍ୱବିଦିତ। ଓଡ଼ିଶାରୁ ଓ ବାହାରୁ ଭିନ୍ନଭିନ୍ନ ସହରରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟତ କରୁଥିବା ଅନେକ ଲୋକ ଏହି ବସ୍ ସେବା ଦ୍ୱାରା ଲାଭାନ୍ୱିତ ହେବେ। ଏଥିପାଇଁ ବହୁ ଦିନରୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଆସୁଥିଲେ।
ଗାଇଡ଼ଲାଇନ ମୁତାବକ କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ। ପ୍ରତ୍ୟକ ବସରେ ପ୍ରତିଦିନ ସାନିଟାଇଜ କରାଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ବିଷେଶ ଭୂତାଣୁନାସକ ଶୋଧକର ବ୍ୟବହାର କରାଯିବ।