କୋହଲି ଦେବେ ୧୨ ଲକ୍ଷ ଫାଇନ୍

ଦୁବାଇ: ଗୁରୁବାର ପଞ୍ଜାବ ବିପକ୍ଷ ଆଇପିଏଲ ମ୍ୟାଚରେ ବାଙ୍ଗାଲୋରକୁ ବଡ଼ ପରାଜୟ ମିଳିଛି। ଦୁଇ ଦୁଇଟି କ୍ୟାଚ୍ ଛାଡ଼ିବା ଏବଂ ବ୍ୟାଟିଂରେ ବିଫଳ ହେବା ଯୋଗୁଁ କୋହଲିଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏସବୁ ପରେ ମ୍ୟାଚରେ ଆରସିବିର ଧିମା ବୋଲି ଯୋଗୁଁ ଅଧିନାୟକ ବିରାଟଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ୍ ଲଗାଯାଇଛି।

ଏନେଇ ଆଇପିଏଲ ପକ୍ଷରୁ ଜାରି ପ୍ରେସ୍ ରିଲିଜ ଦର୍ଶାଇଛି। ଗତକାଲିର ମ୍ୟାଚରେ ଆରସିବି ଆଇପିଏଲର କୋଡ଼ ଅଫ୍ କଣ୍ଡକ୍ଟର ଉଲ୍ଲଙ୍ଘନ କରିଥିବା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା। ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କ ଧୁଆଁଦାର ବ୍ୟାଟିଂ ଆଗରେ ବାଙ୍ଗାଲୋର ବୋଲର ମଥାନତ କରୁଥିବା ବେଳେ ବାରମ୍ବାର ପ୍ରତିଟି ବଲ୍ ପକାଇବା ଆଗରୁ କୋହଲି ସେମାନଙ୍କୁ ପରାମର୍ଶ ଦେଉଥିିଲେ। ଯେଉଁଥିପାଇଁ ମ୍ୟାଚ୍ ଲାଗି ନିର୍ଦ୍ଧାରିତ ସମୟସୀମା ବ୍ୟାହତ ହୋଇଥିଲା।

ସୂଚନାଯୋଗ୍ୟ, ଗତକାଲି ମାତ୍ର ୬୯ ବଲରେ ପଞ୍ଜାବ ଅଧିନାୟକ କେ ଏଲ୍ ରାହୁଲ ୧୩୨* ରନର ବିସ୍ଫୋରକ ପାଳି ଖେଳିଛନ୍ତି। ଯେଉଁଥିରେ ରହିଛି ୭ ଛକା ଏବଂ ୧୪ ଚୌକା। ଆଶ୍ଚର୍ଯ୍ୟର କଥା ହେଉଛି ନିଜ ଜବରଦସ୍ତ ଫିଲ୍ଡିଂ ପାଇଁ ଜଣା ବିରାଟ କୋହଲି ରାହୁଲଙ୍କର ଦୁଇ ଦୁଇଟି ସହଜ କ୍ୟାଚ୍ ଛାଡ଼ିଥିଲେ। ଯାହା ଆରସିବି ପ୍ରଶଂସକଙ୍କୁ ନିରାଶ କରିଛି।