ରାଉରକେଲା, (ଏସ୍ ନ୍ୟୁଜ): ରାଉରକେଲା ସେକ୍ଟର ୩ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ ଲାଗି ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛି ୧୪ ବର୍ଷୀୟା ନାବାଳିକା । ପ୍ରାଣ ହରାଇଥିବା ନାବାଳିକା ହେଲେ କାଦମ୍ବିନୀ ଦୀପ୍ । ସୂଚନାନୁସାରେ, କାଦମ୍ବିନୀ ସେକ୍ଟର-୩ କ୍ୱାର୍ଟର ନମ୍ବର ୧୦ରେ ରହୁଥିଲେ । ତାଙ୍କ ବାପା ସଦନନ୍ଦ ଦୀପ ଏଜଜ୍ୟୁକେଟିଭ ଆସୋସିଏସନରେ କେୟାର ଟେକର ଭାବରେ କାମ କରନ୍ତି । ତେବେ ଝିଅ ସବୁବେଳେ ମୋବାଇଲରେ ଗେମ ଖେଳୁଥିବାରୁ ତାଙ୍କ ବାପା ଓ ମାଆ ବାରମ୍ବାର ବାରଣ କରୁଥିଲେ । କିନ୍ତୁ ବାପ ମାଆଙ୍କ କଥାକୁ ମାନୁନଥିଲା ଝିଅ । ଝିଅ ମୋବାଇଲ ଖେଳୁଥିବା ସମୟରେ ମାଆ ପାଟି କରିବା ସହ ହାତରୁ ମୋବାଇଲ ଛଢ଼ାଇ ନେଇଥିଲେ । ଏଥିରେ ରାଗିଯାଇ ଘରେ କେହି ନଥିବା ସମୟରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ କାଦମ୍ବିନୀ । ଘର ଭିତରୁ ପ୍ରବଳ ଧୂଆଁ ବାହାରୁ ଥିବାର ଦେଖି ପଡୋଶୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୋଲିସ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ôଚ ନାବାଳିକାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିଲା । ଫଳରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।