ଜବାବ ଦିଅନ୍ତୁ ମୋଦି ସରକାର: ଓଡ଼ିଶାର ପାଇକ ବିଦ୍ରୋହକୁ କେବେ ମିଳିବ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ପରିଚୟ?

ଜବାବ ଦିଅନ୍ତୁ ମୋଦି ସରକାର: ଓଡ଼ିଶାର ପାଇକ ବିଦ୍ରୋହକୁ କେବେ ମିଳିବ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ପରିଚୟ?

ବ୍ରିଟିଶ ଶାସନାଧୀନ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଭାବେ ୧୮୫୭ ମସିହାର ସିପାହି ବିଦ୍ରୋହକୁ ମାନ୍ୟତା ମିଳିଛି । ଓଡ଼ିଶାର ପାଇକ ବିଦ୍ରୋହ ଉପରେ ଆଲୋକପାତ କଲେ, ତାହା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ପରିଚୟ ପାଇବାର ହକ୍ଦାର ରଖିଛି । ଆଜି ମଧ୍ୟ ବ୍ରିଟେନ ସଂଗ୍ରହାଳୟରେ ସାଇତା ହୋଇ ରହିଛି ସେହି ଲାଠି ଯୋଉ ଲାଠିକୁ ରଣପୁର ଜଙ୍ଗଲରୁ ଜବତ କରିଥିଲା ବ୍ରିଟିଶ ଫଉଜ ।

ସେହି ଲାଠିର ଗୋଟିଏ ପାହାରରେ ପ୍ରାଣ ହରାଇଥିଲେ ବ୍ରିଟିିଶ ସରକାରଙ୍କ ଜଣେ ଲଢୁଆ କମାଣ୍ଡର । ଲାଠିଟା କୋଉ କାଠରେ ତିଆରି ଓ ସେହି କାଠଟି କୋଉ ବୃକ୍ଷର ଡାଳ ହୋଇପାରେ ଯୋଉ ଡାଳଟି ଗୋଟିଏ ପାହାରରେ ଗୋଟିଏ ଲୋକର ଜୀବନ ନେଇଯାଇପାରେ, ତା’ର ରହସ୍ୟ ଉନ୍ମୋଚନ କରିବା ପାଇଁ ବ୍ରିଟେନ ସରକାର ଉକ୍ତ ଲାଠିକୁ ଯତ୍ନର ସହିତ ବ୍ରିଟେନକୁ ନେଇଥିଲା ।

ଓଡ଼ିଶାର ପାଇକ ବିଦ୍ରୋହ ୧୮୧୭ ମସିହା ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ଯାହାକୁ ଦମନ କରିବା ପାଇଁ ବ୍ରିଟେନ ସରକାରକୁ ମାତ୍ର ଅଢ଼େଇ ମାସ ଲାଗିଥିଲା । ୧୮୧୭ ମସିହା ମେ’ ମାସ ଶେଷସୁଦ୍ଧା ପାଇକ ବିଦ୍ରୋହ ଦବି ଯାଇଥିଲା ।
କିନ୍ତୁ ସେହି ବିଦ୍ରୋହର ସୂତ୍ରଧରମାନଙ୍କୁ ଧରିବା, ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା, ବିଚାରପତିଙ୍କୁ ନିଯୁକ୍ତ କରିବା, ବିଚାର କରି ଶାସ୍ତି ପ୍ରଦାନ ଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ସାରିବା ବେଳକୁ ବ୍ରିଟିଶ ସରକାରକୁ ପ୍ରାୟ ୧୩ ବର୍ଷ ଲାଗି ଯାଇଥିଲା ।

ଯଦିଓ ପାଇକ ବିଦ୍ରୋହଟି କେବଳ ଓଡ଼ିଶା ଭିତରେ ସୀମିତ ଥିଲା ଏବଂ ତାହା ମାତ୍ର ଅଢ଼େଇ ମାସ ଧରି ଚାଲିଥିଲା । ଭାରତର ତକ୍ରାଳୀନ ଐତିହାସିକ ସେ ସଂପର୍କରେ କିଛି ଜାଣି ପାରିଲେନି, କିଛି ଲିପିବଦ୍ଧ କରି ପାରିଲେନି । ତେଣୁ ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଭାବେ ବର୍ଣ୍ଣନା କରିଥିଲେ ।

ଇତିହାସର ସେହି ଭୁଲଟିକୁ ସୁଧାରିବା ପାଇଁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ତତ୍ପରତା ପ୍ରକାଶ କରିଥିଲେ । ମାତ୍ର ତାହା ଆଜି ଯାଏ କାର୍ଯ୍ୟକାରୀ କରାଗଲାନି ।

ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଯେବେ ଯେବେ ଖୋର୍ଦ୍ଧା ଜିଲ୍ଲାର କୌଣସି ଅଂଚଳରେ ପାଦ ପକାଇଛନ୍ତି, ସେତେବେଳେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଭାବେ ମାନ୍ୟତା ଦେବାର ପ୍ରସଙ୍ଗ ଦୋହରାଇଛନ୍ତି । ମାତ୍ର ଆଜି ସୁଦ୍ଧା ଭାରତର ଇତିହାସ ବଦଳିଲା ନାହିଁ ।

ଭାରତର ଇତିହାସକୁ ସଂଶୋଧନ କରିବା ପାଇଁ ଭାରତ ସରକାର ଆଉ କେତେ ମାସ ସମୟ ନେବେ, ସେ ସଂପର୍କରେ ଲିଖିତ ପ୍ରତିଶ୍ରୁତି ଦାବି କରିଛି ହିନ୍ଦୁସ୍ଥାନ ଅଣସଂଗଠିତ ମଜଦୁର ମହାସଂଘ ।