ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଜିଦ୍‌ ଛାଡ଼ନ୍ତୁ ମୋଦୀଜୀ

ରାଜ୍ୟ ବିଜେପି ଦିନରେ ସ୍ୱପ୍ନ ଦେଖୁଛି: ଏଜେଡି

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଜିଦରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ନ ଓହରିବା ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି କ୍ଷମତାକୁ ଯାଇପାରିବନି ବୋଲି ଏଜେଡି ଆବାହକ ସୀତାରାମ ବେହେରା କହିଛନ୍ତି । ମୋଦୀଜୀଙ୍କ ଜିଦ୍‌ କାରଣରୁ ରାଜ୍ୟ ବିଜେପି ଭିତରେ ଗୋଷ୍ଠୀ କନ୍ଦଳ ଜାରି ରହିଛି । ଦିନକୁ ଦିନ ଗୋଷ୍ଠୀ କନ୍ଦଳ ଅତିରଞ୍ଜିତ ହେଉଛି । ରାଜ୍ୟବାସୀ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ସହଜରେ ଗ୍ରହଣ କରିବେନି ବୋଲି ସୀତାରାମ ଦୃଢ଼ତାର ସହ କହନ୍ତି ।

୨୦୨୪ରେ ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବ ବୋଲି ବିରୋଧୀ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଜାଣିବା ପାଇଁ ସାକ୍‌ସୀ ନ୍ୟୁଜ ରିପୋର୍ଟର ଏଜେଡି ଆବାହକ ସୀତାରାମ ବେହେରାଙ୍କୁ ଫୋନ୍‌ କରିଥିଲେ । ସୀତାରାମ କହିଥିଲେ, ବିଜେପି ନେତାଙ୍କ ବାହାପିଆ କଥାକୁ ରାଜ୍ୟବାସୀ ପରତେ ଯିବେନି । ବିଜେପିର ବରିଷ୍ଠ ନେତାମାନେ ଯେତେ ତାଲିମ ଦେଲେ କିଛି ଲାଭ ହେବନି ।

ନବୀନଙ୍କୁ ହଟାଇବାର ଦମ୍‌ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପାଖରେ ନାହିଁ । ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରିବା ଜିଦରେ ମୋଦୀଜୀ ଅଟଳ ରହି ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିରବ ସମର୍ଥନ କରୁଛନ୍ତି । ନବୀନଙ୍କୁ ହଟାଇବାର ଇଛା ଯଦି ମୋଦୀଙ୍କ ମନରେ ଥାଆନ୍ତା; ତେବେ ସେ ବିକଳ୍ପ ବାଟ ବାହାର କରିଥାନ୍ତେ ।

ଆଗାମୀ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାକୁ ଆସିବାର ଅଛି । ୨୦୨୪ ଲୋକସଭା ନିର୍ବାଚନ ବେଳକୁ ସେ ବିଜେପି ଅଧ୍ୟକ୍ଷ ପଦବୀରେ ରହିବେ କି ନା’, ତା’ ଏ ଯାଏ ଅସ୍ପଷ୍ଟ ରହିଛି । ତେଣୁ ସେ ଓଡ଼ିଶା ଆସିଲେ କିଛି ଫରକ ପଡ଼ିବନି । ଏଜେଡି ସହିତ ଆସନ ବୁଝାମଣା ନକରିବା ଯାଏ ବିଜେପି ନିଜ ଭୋଟ ହାରକୁ ନେଇ ଖୁସିରେ ରହୁ ।