‘ମୋ ଝିଅକୁ ଦିଅନ୍ତୁ ନଚେତ୍‌ ସିବିଆଇକୁ କୁହନ୍ତୁ’

ମୁଖ୍ୟମନ୍ତ୍ରୀଙ୍କୁ ମା’ ମୋନାଲିସାଙ୍କର ପ୍ରାର୍ଥନା……..

ଭୁବନେଶ୍ୱର: ରାଜ୍ୟ ପୁଲିସଙ୍କ ଦମ୍‌ ଦେଖିବାକୁ ଆଉ ବାକି ନାହିଁ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଭିଆଇପିଙ୍କୁ ସୁରକ୍ଷା ଦେବା ପଛରେ ରାଜ୍ୟ ପୁଲିସ ବାହିନୀର ସମୟ ଚାଲିଯାଉଛି । ଅପରାଧୀଙ୍କୁ ଧରି ଲୋକଙ୍କୁ ନ୍ୟାୟ ଦେବା ପାଇଁ ପୁଲିସ ପାଖରେ ସମୟ ଅଭାବ । ବାୟୁସେନା ସୋ’ ପାଇଁ ୨୦୦୦ ପ୍ଲାଟୁନ ମୁତୟନ କରାଯାଉଛି । ଅଥଚ ନିଖୋଜ ଶିଶୁକନ୍ୟା ‘ପିହୁ’କୁ ଖୋଜି ଆଣିବା ପାଇଁ ରାଜ୍ୟ ପୁଲିସ ପଛାଇ ଯାଉଛି । ଯଦି ‘ପିହୁ’ର ସନ୍ଧାନ ପାଇବା ପୁଲିସ ପକ୍ଷେ କାଠିକାର ପାଠ । ତେବେ ସିବିଆଇକୁ ‘ପିହୁ’ ଖୋଜିବା ଦାୟିତ୍ୱ ଦେବାରେ ଅସୁବିଧା କ’ଣ ଅଛି?

ଗୋଟିଏ ଶିଶୁକନ୍ୟାକୁ ଖୋଜିବା ପଛରେ ଦୁଇବର୍ଷ ଲାଗିଗଲାଣି । ଅଥଚ ତା’ର କୌଣସି ଖବର ରାଜ୍ୟ ପୁଲିସ ପାଖରେ ନାହିଁ । ସେଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ସିବିଆଇ ହାତକୁ ଟେକିଦେବା ଉଚିତ ହେବ ବୋଲି ଏନ୍‌ୟୁବିସି ଅନୁଭବ କରୁଛି । ଆଜି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏନ୍‌ୟୁବିସି ନେତା ସୀତାରାମ ବେହେରା ଏହି ମନ୍ତବ୍ୟ ଦେଇଛନ୍ତି । ରାଜ୍ୟ ସରକାରଙ୍କଠାରୁ ନ୍ୟାୟ ନପାଇ ନିଖୋଜ କନ୍ୟାଟିର ମା’ ମୋନାଲିସା ନାୟକ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଅଫିସ ନିକଟରେ ଧାରଣାରେ ବସିଛନ୍ତି । ଜଣେ ମା’ଙ୍କ କୋଳକୁ ଶୂନ୍ୟ କରିବା ଯଦି ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ନୀତି ରୂପେ ବିବେଚନା କରାଯାଏ, ତେବେ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବାକୁ ସଂପୂର୍ଣ୍ଣ ଯୋଗ୍ୟ । ଅଗଷ୍ଟ ୨୯ ତାରିଖରେ ମା’ ମୋନାଲିସା ଶିଶୁ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରି ‘ପିହୁ’କୁ ଖୋଜିବାର ଦାୟିତ୍ୱ ସିବିଆଇକୁ ଦିଆଯାଉ ବୋଲି ପ୍ରାର୍ଥନା କରିଥିଲେ ।

ତହୁଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । ମାତ୍ର ରାଜ୍ୟ ସରକାର ସିବିଆଇ ତଦନ୍ତକୁ ସୁପାରିଶ କଲେନାହିଁ । ଅର୍ଥାତ୍‌ ମା’ ମୋନାଲିସାଙ୍କ କୋଳକୁ ‘ପିହୁ’କୁ ଫେରାଇବା ପାଇଁ ରାଜ୍ୟ ସରକାର ଅରାଜି । ତା’ ମାନେ କ’ଣ ମୁଖ୍ୟମନ୍ତ୍ରୀ ଜାଣନ୍ତି ‘ପିହୁ’ର ଅବସ୍ଥିତି? ଯଦି ଜାଣନ୍ତି, ତେବେ ମା’ ମୋନାଲିସାଙ୍କୁ ଜଣାଇବାରେ ଅସୁବିଧା କ’ଣ?

ପିହୁ’ର ମା’ ବିଞ୍ଝାରପୁର ପୁଲିସର ତଦନ୍ତ ଉପରେ ସନ୍ଦେହ କରିଛନ୍ତି । ଝିଅ ନିଖୋଜ ଅଭିଯୋଗ ପାଇବା ପରେ ବିଞ୍ଝାରପୁର ଥାନା ଆଇଆଇସି ଓ ତଦନ୍ତକାରୀ ଅଫିସର ଖାମଖିଆଲି ମନୋଭାବ ପୋଷଣ କରିଛନ୍ତି ବୋଲି ମୋନାଲିସା ଅଭିଯୋଗ କରିଛନ୍ତି । ପିହୁ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପୁଲିସ ନିରବରେ ବସିଯାଇଛି । ଶିଶୁ କମିଶନ ଅଧ୍ୟକ୍ଷା କହିଛନ୍ତି ଯେ ମୋନାଲିସାଙ୍କ ଆବେଦନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ତା’ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକଙ୍କ ନିକଟକୁ ଚିଠି ଲେଖାଯାଇଛି । ୨୦୨୦ ଅଗଷ୍ଟ ୯ ତାରିଖରୁ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଂଚଳରୁ ୨ ବର୍ଷର ଶିଶୁକନ୍ୟା ‘ପିହୁ’ ନିଖୋଜ ହୋଇଯାଇଛି ।