ଭୁବନେଶ୍ୱରରେ ମୋଦିଙ୍କ ରୋଡ ଶୋ’, କାହାର ଇମେଜ ଡାଉନ

ସାକସି ନ୍ୟୁଜ୍ ବ୍ୟୁରୋ: ରାଜ୍ୟ ରାଜଧାନୀରେ ବିଜେପିର ଶକ୍ତି ପ୍ରଦର୍ଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ମେଗା ରୋଡ ଶୋ । ସାମିଲ ହୋଇଥିଲେ ପ୍ରାୟ ୨ଲକ୍ଷ କାର୍ଯ୍ୟକର୍ତ୍ତା । ରାଜ୍ୟରେ ସରକାର ଗଠନ କରିବା ପାଇଁ ବିଜେପି ଅଣ୍ଟା ଭିଡିଥିବା ବେଳେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ପ୍ରଚାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରୋଡ ଶୋ କରି ବିଜେପି ଦେଖାଇଛି ଦମ୍ । ମୋଦି ମୟ ହୋଇଥିଲା ପୁରା ରାସ୍ତା । ଜନପଥ ପାଲଟିଥିଲା ଜନସମୁଦ୍ର ।

ରାଜ୍ୟ ବିଜେପି ରାଜଧାନୀରେ ମୋଦିଙ୍କ ରୋଡ ଶୋ କରାଇବାକୁ କାହିଁକି ଚାହିଁଲା? ଏହା କଣ ବାର୍ତ୍ତା ଦେଉଛି? ଯେଉଁଠି ଅପରାଜିତା ବିଜେପିର ସାଂସଦ ଅଛନ୍ତି । ଜିତିବା ତାଲିକାରେ ମଧ୍ୟ ପ୍ରଥମରେ ରହିଛନ୍ତି ସେହି ପ୍ରାର୍ଥୀଙ୍କ ପାଇଁ ମୋଦିଙ୍କ ରୋଡ ଶୋ’ର ଆବଶ୍ୟକତା କଣ ଥିଲା । ଭୁବନେଶ୍ୱରର ଭିଆଇପି ଏରିଆରେ ବିଜେପି ଚେହେରା ମୋଦିଙ୍କ ରୋଡ ଶୋ କଣ ସୂଚାଉଛି? ବିଜେପିର ଆଶଙ୍କା ଅଛି ଯେ ତାଙ୍କ ହାତରୁ ଭୁବନେଶ୍ୱର ସାଂସଦ ଆସନ ଯାଇପାରେ । ଅପରାଜିତା ପରାଜିତ ହୋଇପାରନ୍ତି । ଏହାକୁ ଦୃଷ୍ଟିରେ ରଖି ବୋଧେ ବିଜେପି ରୋଡ କରାଇ ରାଜ୍ୟରେ ଭ୍ରମ ସୃଷ୍ଟି କରାଇବାକୁ ଚେଷ୍ଟା କରାଇଛି । ରାଜ୍ୟ ବିଜେପିର ଆଗଧାଡିର ନେତା ଅପରାଜିତାଙ୍କ ଆସନ କଣ ଟଳମଳ କି? ଯେଉଁ କାରଣ ପାଇଁ ମୋଦିଙ୍କୁ ପ୍ରଚାର କରିବାକୁ ପଡିଲା ।

ବୋଧ ହୁଏ ବିଜେପି ଜାଣି ସାରିଛି ଯେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପଲ୍ଲା ଭାରି ରହିଛି । ହେଲେ ମୋଦିଙ୍କ ରୋଡ ଶୋରେ ଯେ ବିଜେଡିର ଭୋଟ ପ୍ରତିଶତ କମିବ ତାହା କାହିଁ ମନେହେଉନାହିଁ । ଯଦି ରାଜ୍ୟ ବିଜେପି ଅନ୍ୟ କେଉଁ ରୁଟରେ ମୋଦିଙ୍କ ରୋଡ ଶୋ କରାଇଥାନ୍ତା ତାହେଲେ ମନ୍ମଥଙ୍କ ପାଇଁ ଅଡୁଆ ହୋଇଥାନ୍ତା । ହେଲେ ବିଜେପି ଯେଉଁ ରୁଟରେ ପ୍ରଚାର କରାଇଲା, ତାହା ଲାଗୁନାହିଁ ଯେ ବିଜେପି ସପୋର୍ଟରେ ଭୋଟ ଗୋଟାଇବ । କାହିଁକିନା ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଜନବସତି କମ ଦୋକାନ ବଜାର ଅଧିକ ।
ତେବେ ଭୁବନେଶ୍ୱରରେ ମୋଦିଙ୍କ ରୋଡ ଶୋ ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ଇମେଜ ଡାଉନ କରିବ ନାଁ ବଢାଇବ । ବିଜେଡିର ଭୋଟ ପ୍ରତିଶତ କମାଇବ ନା ବଢାଇବ ତାହା ସମୟ କହିବ । କାହିଁକିନା ଅପରାଜିତାଙ୍କ ତୁଳନାରେ ମନ୍ମଥ ବି କିଛି କମ ନୁହଁନ୍ତି । ସେ ମଧ୍ୟ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି । ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଭୁବନେଶ୍ୱରରେ ଅପରାଜିତା ବନାମ ମନ୍ମଥ ଲଢେଇ ବେଶ ରୋଚକ ହେବ । କଡା ଟକ୍କର ହେବ । ୪ ଜୁନରେ ଜଣାପଡିବ କିଏ ମାରୁଛି ବାଜି ।