ବର୍ଷା ସାଙ୍ଗରେ ଆସୁଛନ୍ତି ମା’ ସରସ୍ୱତୀ

ଭୁବନେଶ୍ୱର: ଭିଜା ଭିଜା ଶ୍ରୀପଂଚମୀ ପାଳନ କରିବେ ଛାତ୍ରଛାତ୍ରୀ । ମା’ ସରସ୍ୱତୀଙ୍କ ସାଙ୍ଗରେ ବର୍ଷା ଆସିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବେଶ କିଛିଦିନ ହେଲା ରାଜ୍ୟର ସକାଳ ପରିବେଶଟି ଘନ କୁହୁଡ଼ି ଭିତରେ ବିତୁଛି । ଆଗାମୀ ୪/୫ ଦିନ ମେଘୁଆ ଆକାଶ, ଶୁଖିଲା ପାଗ, କାଲୁଆ ପବନ, କୁହୁଡ଼ିର ମିଶ୍ରିତ ଚେହେରା ଦେଖିବାକୁ ମିଳିବ ।

ବୁଧବାର ସକାଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ଅଂଚଳରେ ଘନ କୁହୁଡ଼ି ଦେଖାଯିବ ।

୧୫ ତାରିଖ ଭିତରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାର କେତେକ ଅଂଚଳରେ ବର୍ଷା ଓ ବିଜୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।

୧୬ ତାରିଖରେ ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, ନବରଙ୍ଗପୁର ଓ ସୋନପୁରରେ ବର୍ଷା ଓ ଘଡ଼ଘଡ଼ି ଜମିବ ।