ଗଣମାଧ୍ୟମ ପ୍ରତିନିଧିଙ୍କୁ ହୀନଚକ୍ଷୁରେ ଦେଖନ୍ତି ନବୀନ ବାବୁ

ଭୁବନେଶ୍ୱର: ୨୦୦୦ ମସିହାରୁ କ୍ଷମତାସୀନ ହେବା ପରଠାରୁ ଆଜି ସୁଦ୍ଧା କୌଣସି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀଟିଏ ଡାକିନାହାନ୍ତି କି କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କର ପ୍ରଶ୍ନକୁ ସାମ୍ନା କରିନାହାନ୍ତି । ଜନମଙ୍ଗଳ ପ୍ରସଙ୍ଗ ହେଉ ବା ଜନବିରୋଧୀ ପ୍ରସଙ୍ଗ ହେଉ, ସବୁ ସମୟରେ ଦଳର ମୁଖପାତ୍ର ବା ଅନ୍ୟାନ୍ୟ ନେତାମାନେ ରିପୋର୍ଟରଙ୍କୁ ସାମ୍ନା କରି ଆସୁଛନ୍ତି । ଏଇଠି ସାଧାରଣ ଲୋକଙ୍କ ମନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଏକ ଧାରଣା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଡିଆ ଦୁନିଆର ରିପୋର୍ଟରଙ୍କୁ ହୀନଚକ୍ଷୁରେ ଦେଖୁଛନ୍ତି । ଦୀର୍ଘ ୨୩ ବର୍ଷ ଭିତରେ ମୁଣ୍ଡ ଟେକିଥିବା ବହୁ ପ୍ରସଙ୍ଗ ବିଜେଡିର ଭାବମୂର୍ତିକୁ ବିବର୍ଣ୍ଣ କରିଥିଲା ବେଳେ ମୁଖ୍ୟମନ୍ତ୍ରୀ ନିଜକୁ ମିଡିଆଠାରୁ ଦୂରେଇ ରଖୁଛନ୍ତି । ଏହାର କାରଣ କ’ଣ?
ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ମିଡିଆବାଲା ହେଉଛନ୍ତି ଗଣତନ୍ତ୍ରର କୁକୁର । ସେମାନଙ୍କୁ ଅଧିକ ଗୁରୁତ୍ୱ ଦେଲେ ବାଟ ଚଲାଇ ଦେବେନି । ତେଣୁ ଦୂରରୁ ସେମାନଙ୍କ ଆଡ଼କୁ ଅନାଇ ଦୁଇହାତ ଯୋଡ଼ିଦେଲେ; ସେମାନେ କୃତ୍ୟକୃତ୍ୟ ହୋଇ ଲାଞ୍ଜ ହଲାଇବେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଜରିଆରେ ମୁଦ୍ରଣ ମିଡ଼ିଆ ଓ ବୈଦ୍ୟୁତିକ ମିଡ଼ିଆ ଓ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇ ରାଜ୍ୟବାସୀଙ୍କ ତୁଣ୍ଡ ବନ୍ଦ କରିବା ନବୀନବାବୁଙ୍କ ଆଉ ଏକ ଦୀର୍ଘମିଆଦି ଯୋଜନା ।

ଖାଲି ସେତିକି ନୁହେଁ; ଦରକାର ପଡ଼ିଲେ ପୁଲିସ ଲଗାଇ ସରକାରଙ୍କ ବିରୋଧରେ କଲମ ଚଲାଉଥିବା ମିଡ଼ିଆକୁ ବଦନାମ କରିବା ପାଇଁ ମଧ୍ୟ ନବୀନବାବୁ ପଛାଉନାହାନ୍ତି । ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରଶାସନ, ପୁଲିସ ଓ ଦଳୀୟ ଗୁଣ୍ଡାମାନଙ୍କର ଜୁଲମ ଚାଲିଛି । ବିଧାନସଭା, ସଚିବାଳୟ, ସରକାରୀ କାର୍ଯ୍ୟାଳୟ, ସ୍କୁଲ, ଡାକ୍ତରଖାନା ପ୍ରଭୃତି ସ୍ଥାନରେ ମିଡ଼ିଆକୁ ବାରଣ କରାଯିବାର କାରଣକୁ ଲୋକମାନେ ଭିନ୍ନଚକ୍ଷୁରେ ଦେଖିବା ଆରମ୍ଭ କଲେଣି ।

ସାଧାରଣ ଲୋକମାନେ ପରସ୍ପର ଯାହା ଆଲୋଚନା କରୁଛନ୍ତି । ତା’ର ସାରାଂଶ ହେଲା ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବା ପାଇଁ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ନିକଟରେ ସେପରି ମୁହଁ ନାହିଁ । ତେଣୁ ଲୋକମାନେ ବାଧ୍ୟ ହୋଇ ବିଜେଡିକୁ ଭୋଟ ଦେଉଛନ୍ତି । ଦୁର୍ବଳ ବିରୋଧୀ କାରଣରୁ ନବୀନବାବୁ ଯାବତୀୟ ଅଳିଆ କାମ କରୁଛନ୍ତି, ତେଣୁ ମିଡ଼ିଆକୁ ସବୁ ଜାଗାରେ ଅଟକାଇ ଦେଉଛନ୍ତି । ପୁଲିସ ବଳରେ ମିଡ଼ିଆ ଉପରେ ଦାଦାଗିରି ଚାଲିଛି । ନାନା ମିଥ୍ୟା ମାମଲା ରୁଜୁ କରି ମିଡ଼ିଆ ଦୁନିଆର ଦୂରଦୃଷ୍ଟି ସମ୍ପନ୍ନ ଲୋକଙ୍କୁ ସମାଜ ଦୃଷ୍ଟିରେ ବଦନାମ କରୁଛନ୍ତି ।