ଗୋଟିଏ ରସଗୋଲାରୁ ବିବାହମଣ୍ଡପରେ ହଣାକଟା

ବିବାହ ଅଧାରୁ ବନ୍ଦ, କନ୍ୟା ନନେଇ ଚାଲିଗଲେ ବରପକ୍ଷ

ଛୁରାମାଡ଼ରେ ଜଣେ ଯୁବକଙ୍କର ପ୍ରାଣହାନି, ୧୨ ଆହତ

ଆଗ୍ରା: ବିବାହ ଭୋଜିରେ ମାତ୍ର ଗୋଟିଏ ରସଗୋଲାକୁ କେନ୍ଦ୍ର କରି ରକ୍ତପାତ ସୃଷ୍ଟି ହୋଇଛି । ବାହାଘର ପାଲଟି ଯାଇଛି ରଣକ୍ଷେତ୍ର । କନ୍ୟାପକ୍ଷର ଲୋକଙ୍କ ହମ୍‌ଲାରେ ବରପକ୍ଷର ଜଣେ ୨୦ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି । ଉଭୟ ପକ୍ଷର ପ୍ରାୟ ୧୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ବାହାଘର ଅଧାରୁ ବନ୍ଦ ହୋଇଗଲା । ଦୁଇକନ୍ୟାଙ୍କୁ ନନେଇ ଦୁଇବର ସେମାନଙ୍କ ସମ୍ପର୍କୀୟମାନେ ଫେରିଯାଇଛନ୍ତି । ଗିରଫଦାରି ଭୟରେ କନ୍ୟାପକ୍ଷର ଲୋକମାନେ ବିବାହ ମଣ୍ଡପରୁ ପଳାୟନ କରିଛନ୍ତି ।

ବୁଧବାର ଦିନ ଏକ ବିବାହ କାର୍ଯ୍ୟକ୍ରମରେ ଏଭଳି ପରିଣତି ଘଟିଥିଲା । ଖନ୍ଦୋଲି ଅଂଚଳର ଜଣେ ବ୍ୟବସାୟୀ ତାଙ୍କର ଦୁଇପୁଅ ଜାଭେଦ୍‌ ଓ ରଶିଦ ସହିତ ଏତ୍‌ମାଦପୁର ନିବାସୀ ଉସ୍‌ମାନଙ୍କର ଦୁଇଝିଅ ଜେନାବ ଓ ସାଜିୟାଙ୍କର ବିବାହ ସ୍ଥିର କରିଥିଲେ । ଯୋଜନା ମୁତାବକ ସବୁକିଛି ଠିକ୍‌ଠାକ୍‌ ଥିଲା । ଘରଠାରୁ ମାତ୍ର କେଇ କିଲୋମିଟର ଦୂରରେ ବିବାହ ପାଇଁ ମଣ୍ଡପଟିଏ ଭଡ଼ାସୂତ୍ରରେ ନିଆଯାଇଥିଲା । ହେଲେ କିଏ ଜାଣିଥିଲା ଆନନ୍ଦମୁଖର ଉତ୍ସବଟି ଯୁଦ୍ଧକ୍ଷେତ୍ର ରୂପ ନେବ ବୋଲି । ମହାଆନନ୍ଦରେ ବରଯାତ୍ରୀମାନେ ଖିଆପିଆ କରୁଥିବା ସମୟରେ ଜଣେ ବରଯାତ୍ରୀ ଗୋଟିଏ ରସଗୋଲା ପାଇଲା ପରେ ଆଉ ଗୋଟିଏ ମାଗିଥିଲେ । କିନ୍ତୁ ରସଗୋଲା ପରସୁଥିବା ଯୁବକ ଜଣକ ସମସ୍ତଙ୍କୁ ଗୋଟିଏ ଗୋଟିଏ ରସଗୋଲା ଦେବା ପାଇଁ ନିର୍ଦ୍ଦେଶ ପାଇଛନ୍ତି ବୋଲି ସଫେଇ ଦେଇଥିଲା ।
ବାସ୍‌, ଏଇ ସାମାନ୍ୟ କଥାରୁ ଯୁକ୍ତିତର୍କ, ହାତାହାତି ଓ ଧସ୍ତାଧସ୍ତି ଆରମ୍ଭ ହୋଇଗଲା । ଦେଖୁଦେଖୁ ଉଭୟ ବର ଓ କନ୍ୟାପକ୍ଷର ଲୋକମାନେ ସେଠାରେ ରଖା ଯାଇଥିବା ଚଉକି, ଚାଖୁ, ଚାମଚ, ପ୍ଲେଟ୍‌, ଛୁରୀ, କଂଟା ଧରି ଯିଏ ଯାହାକୁ ପାରିଲା ଆକ୍ରମଣ କଲା । ମୁଥ ମରାମରି ଠେଲାପେଲା ଭିତରେ ଜଣେ ବ୍ୟକ୍ତିଙ୍କ ଛୁରାମାଡ଼ରେ ଘଟଣାସ୍ଥଳରେ ୨୦ ବର୍ଷ ବୟସର ଯୁବକ ସନିଙ୍କର ଶୋଚନୀୟ ମୃତ୍ୟୁ ଘଟିଲା । ରକ୍ତାକ୍ତ ସଂଘର୍ଷ ଫଳରେ ୧୨ରୁ ଅଧିକ ଲୋକ ଊଣାଅଧିକେ ଆହତ ହେଲେ ।
ମୃତକ ସନିଙ୍କ ଚାଚା ଇମରାନ କହନ୍ତି, ଠିକ୍‌ ସମୟରେ ଆମେ ବରଯାତ୍ରୀ ଦଳ ଧରି ବିନାୟକ ଭବନରେ ପହଂଚିଥିଲୁ । ବରଯାତ୍ରୀମାନେ ପହଂଚିବା କ୍ଷଣି କନ୍ୟାପକ୍ଷର ଲୋକମାନେ ଭୋଜିଭାତ ସ୍ଥାନକୁ ଡାକି ନେଇଗଲେ । ଖିଆପିଆ ପର୍ବ ଆରମ୍ଭ ହୋଇଗଲା । ପ୍ରାୟ ଦେଢ଼ ଘଂଟାଏ ଭିତରେ ବହୁ ବରଯାତ୍ରୀ ଖାଇସାରି ଆପଣା ଘରକୁ ଚାଲି ଯାଇଥିଲେ । ବିବାହ ମଣ୍ଡପଠାରୁ ବରଯାତ୍ରୀମାନଙ୍କ ଘର ସେତେ ଅଧିକ ଦୂରରେ ନଥିବାରୁ ଅଧାରୁ ଅଧିକ ବରଯାତ୍ରୀ ଭୋଜି ଖାଇସାରି ଚାଲିଗଲେ । କେବଳ ବିବାହ କାର୍ଯ୍ୟ ସମାପନ ପାଇଁ ବର, ବରପିତା, ବରମାମୁଁ, ଜ୍ଞାତିକୁଟୁମ୍ବ ଓ ଘନିଷ୍ଠ ସାଙ୍ଗମାନେ ଯାହା ଉପସ୍ଥିତ ଥିଲେ । ଅଳ୍ପଲୋକ ଥିଲେ ମଧ୍ୟ ସାମାନ୍ୟ ଗୋଟିଏ ରସଗୋଲା କାରଣରୁ ଭୟଙ୍କର ପରିସ୍ଥିତି ଘଟିଲା । ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ କିଛି ଲୋକଙ୍କୁ ଗିରଫ କରିଛି । ତେବେ ଅଧିକାଂଶ ଲୋକ ପଳାୟନ କରିଛନ୍ତି । ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।